କନକ ବ୍ୟୁରୋ : ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲା। କଂଗ୍ରେସ କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଲୋୟର ପିଏମଜି ପାଲଟିଥିଲା ରଣକ୍ଷେତ୍ର। ଏବେ ଘଟଣାକୁ ନେଇ କଠୋର ହୋଇଛି ପୋଲିସ । 

Advertisment

ଗଣ୍ଡଗୋଳର ଦୁଇସପ୍ତାହ ପରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକଙ୍କ ସମେତ ୫ ହଜାର କଂଗ୍ରେସ କର୍ମୀଙ୍କ ବିରୋଧରେ  ମାମଲା ରୁଜୁ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା ଓ ରାଜନ ଏକ୍କା । ସେହିଭଳି ବରିଷ୍ଠ ନେତା ମହମ୍ମଦ ମୋକିମ ଓ ସୁର ରାଉତରାୟଙ୍କ ନାଁରେ ବି ମାମଲା ହୋଇଛି । ବର୍ତ୍ତମାନ ସୁଦ୍ଧା ମାମଲାରେ ୪ ଜଣ ଗିରଫ ହୋଇସାରିଲେଣି । ଆଗକୁ ଆହୁରି ଗିରଫଦାରି ହୋଇପାରେ ବୋଲି କୁହାଯାଉଛି ।

୨୭ ତାରିଖ ଆନ୍ଦୋଳନ ଘଟଣାରେ କଂଗ୍ରେସ କର୍ମୀ ଓ ନେତାଙ୍କ ବିରୋଧରେ ସଙ୍ଗୀନ ମାମଲା ଲଗାଯାଇଛି । ଏଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି, କଂଗ୍ରେସ ନେତାଙ୍କ ନାଁରେ ସଙ୍ଗିନ ମାମଲା, ଭାରତୀୟ ନ୍ୟାୟ ସଂହିତା ୧୮୯(୨) ଅର୍ଥାତ ଜାଣିଶୁଣି ଆଇନକୁ ହାତକୁ ନେବା, ୧୯୧(୨) ଅର୍ଥାତ ଜାଣିଶୁଣି ଦଙ୍ଗା ଭିଆଇବା ସହ ୧୦ ସଙ୍ଗୀନ ମାମଲା ଲାଗିଛି  ।

କୌଣସି ଏକ ରାଜନୈତିକ ରାଲିକୁ ଏଭଳି ଗୁରୁତର ସହ ନେବା ରାଜ୍ୟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ  ଗ୍ରହଣ କରିପାରୁନାହାନ୍ତି କଂଗ୍ରେସ ନେତା ଓ କର୍ମୀ। ଆଇନ ମନ୍ତ୍ରୀ କିନ୍ତୁ କହିଛନ୍ତି, କଂଗ୍ରେସ କର୍ମୀଙ୍କ ଆଚରଣ ଗୁଣ୍ଡାଙ୍କ ଭଳି ଥିଲା । ସେଥିପାଇଁ ପୋଲିସ ଏଭଳି ନିଷ୍ପତ୍ତି ନେଇଛି । ସରକାରଙ୍କର ଏଥିରେ କିଛି କରିବାର ନାହିଁ।  

ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନରେ ସାମିଲ ହୋଇଥିବା କଂଗ୍ରେସ କର୍ମୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗିରଫଦାରିରୁ ବର୍ତ୍ତିବା ପାଇଁ ଅନେକ ଆତ୍ମଗୋପନ କରିଥିବାବେଳେ କିଛି କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।