କନକ ବ୍ୟୁରୋ : ଏଡିଆର ରିପୋର୍ଟ ମୁତାବକ ଗତବର୍ଷ ବିଜେପିକୁ ସର୍ବାଧିକ ଚାନ୍ଦା ମିଳିଥିଲା । ହେଲେ ୨୦୨୨-୨୩ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷରେ କଂଗ୍ରେସ ଖାତାକୁ ଆସିଥିବା ଦାନ ଅର୍ଥ ବେଶ୍ ବୃଦ୍ଧି ପାଇଛି । ଏଡିଆର ବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ମୁତାବକ ଦେଶର ସମସ୍ତ ରାଜନୈତିକ ଦଳମାନେ ୨୦ ହଜାରରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିସନଙ୍କୁ ଅବଗତ କରାଇଛନ୍ତି । ଏହି ରିପୋର୍ଟ ମୁ୍ତାବକ ୨୦୨୩-୨୪ ଆର୍ଥିକ ବର୍ଷରେ ସମସ୍ତ ରାଜନୈତିକ ଦଳମାନଙ୍କୁ ୨୫୪୪.୨୭୮ କୋଟି ଟଙ୍କା ଚାନ୍ଦା ମିଳିଛି ।
ଗତ ଆର୍ଥିକ ବର୍ଷରେ ବିଜେପିକୁ ମୋଟ ୨୩୪୩.୯୪୭ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ୨୫୧.୪୮ କୋଟି ଟଙ୍କା ଚାନ୍ଦା ମିଳିଛି । ଦେଶରେ ଅନ୍ୟ ପ୍ରମୁଖ ୪ ଜାତୀୟ ରାଜନୈତିକ ଦଳ ତୁଳନାରେ ବିଜେପିକୁ ୬ ଗୁଣା ଅଧିକ ଚାନ୍ଦା ମିଳିଛି । ସେପଟେ ବହୁଜନ ସମାଜବାଦୀ ପାର୍ଟି କହିଛି କି, ଗତ ୧୮ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଳକୁ ୨୦ ହଜାରରୁ ଅଧିକ ଚାନ୍ଦା କେଉଁଠୁ ମିଳିନାହିଁ ।
ଯଦି ଆମେ ୨୦୨୨-୨୩ ଆର୍ଥିକ ବର୍ଷକୁ ଦେଖିବା ତେବେ କଂଗ୍ରେସର ଚାନ୍ଦା ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ବିଜେପିର ଚାନ୍ଦା ପ୍ରତିଶତ ୨୧୧.୭୨ ପ୍ରତିଶତ ବଢଦ୍ଧି ପାଇଥିବା ବେଳେ କଂଗ୍ରେସର ଚାନ୍ଦା ପ୍ରତିଶତ ୨୫୨.୧୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ରେ ବିଜେପିକୁ ୭୧୯.୮୫ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୭୯ କୋଟି ଟଙ୍କା ଚାନ୍ଦା ମିଳିଥିଲା ।
ସେପଟେ ଆମ୍ ଆଦମୀ ପାର୍ଟିକୁ ମିଳୁଥିବା ଚାନ୍ଦାର ପ୍ରତିଶତ ହ୍ରାସ ପାଇଛି । ଆପକୁ ୨୦୨୨-୨୩ ରେ ମିଳିଥିବା ଚାନ୍ଦା ତୁଳନାରେ ୨୦୨୩-୨୪ ରେ ୭୦.୧୮ ପ୍ରତିଶତ ହ୍ରାସ ପାଇଛି ।