କନକ ବ୍ୟୁରୋ: ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଭବନରେ ଖୋଦ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେଣୁଗୋପାଳ ରାଜ୍ୟରେ କଂଗ୍ରେସର ସ୍ଥିତି ପରଖିବା ସହ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ ବୋଲି ନେତାଙ୍କୁ ଆହ୍ଵାନ ଦେଇଛନ୍ତି । ଏଥିସହିତ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ପାଇଁ ମଧ୍ୟ ଆଲୋଚନା କରିଛନ୍ତି ଭେନୁଗୋପାଳ । ଖୁବକମ୍ ଦିନ ମଧ୍ୟରେ ଓଡ଼ିଶାରେ ବିଜେପି ଜନବିରୋଧୀ ହୋଇଯାଇଛି । ବିଜେପି ସରକାର ବିରୋଧରେ କେନ୍ଦ୍ରରେ ଯେମିତି ଲଢ଼େଇ ଚାଲିଛି, ଓଡ଼ିଶାରେ ବି ସେମିତି ଲଢ଼େଇ ଜୋରଦାର କର ବୋଲି ନେତାଙ୍କୁ କହିଛନ୍ତି ବେଣୁ ଗୋପାଳ । କଂଗ୍ରେସ ଭବନରେ ପଲିଟିକାଲ ଆଫେୟାର୍ସ କମିଟି ବୈଠକ ପରେ କେ ସି ବେଣୁଗୋପାଳ କହିଛନ୍ତି, ରାଜ୍ୟରେ ଭୋଟ୍ ଚୋରି ବିରୋଧରେ ଆନ୍ଦୋଳନ ଆରମ୍ଭ କର । ଜାତୀୟ ସ୍ତରରେ ଯେଭଳି ଲଢ଼େଇ ହେଉଛି ସେଭଳି  ଓଡ଼ିଶାରେ ଲଢ଼ ।

Advertisment

ପଲିଟିକାଲ ଆଫେୟାର୍ସ କମିଟି ବୈଠକରେ ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ଜିଲ୍ଲା ସଭାପତି ଚୟନ ଓ ଭୋଟ୍ ଚୋରି କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ହୋଇଛି। ଜିଲ୍ଲା ସଭାପତି ଏହି ମାସରେ ଘୋଷଣା ହେବ । ଏହା ପରେ ବ୍ଲକ୍, ମଣ୍ଡଳ ଓ ବୁଥ କମିଟି ହେବ। ଜିଲ୍ଲା ସଭାପତି ଚୟନ ରେ ଲବି ରହିବ ନାହିଁ । ଏଆଇସିସି ସିଧା ଏହାକୁ ତଦାରଖ କରୁଛି ବୋଲି କୁହାଯାଇଛି । ତୃଣମୂଳ ସ୍ତରକୁ ମଜଭୁତ କରିବା ସହ ବିଧାନସଭା ଭିତରେ ଓ ବାହାରେ ଲଢ଼େଇ ହେବ ବୋଲି ନିଷ୍ପତ୍ତି ହୋଇଛି ।