କନକ ବ୍ୟୁରୋ : କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ଦିନ ପାଇଁ ସସପେଣ୍ଡ ହେବା ତେଜିଛି ରାଜନୀତି । ତାରାଙ୍କ ନିଲମ୍ବନ ପ୍ରତିବାଦରେ ପ୍ରଶ୍ନକାଳକୁ ବୟକଟ କରିଥିଲା କଂଗ୍ରେସ । ପରେ କଂଗ୍ରେସ ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ତାରାପ୍ରସାଦ ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ । ନିଲମ୍ବନ ନ ହଟିବା ପର୍ୟ୍ୟନ୍ତ ବିଧାନସଭାକୁ ବୟକଟ କରିବ କଂଗ୍ରେସ । ୨୭ ତାରିଖରେ ବିଧାନସଭା ଘେରାଉ ପାଇଁ ବି ନିଷ୍ପତ୍ତି ହୋଇଛି । ବିଧାନସଭା କାଣ୍ଡକୁ ନେଇ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁ ତାରାଙ୍କୁ ଭେଟିଛନ୍ତି ତାରାଙ୍କ ଉପରୁ ନିଲମ୍ବନ ହଟାଇବା କିମ୍ବା କୋହଳ କରିବାକୁ କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦାବି କରିଛି । ତାରା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ‘ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ’ । ‘ଗୃହରେ ଯାହା ଘଟିଲା, ତାହା ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା’ ।
ତାରାଙ୍କ ପାଇଁ ବାହାରିଛି ବିଜେଡି । ଆଜି ଶୂନ୍ୟକାଳରେ ନିଲମ୍ବନ ହଟାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି ବିରୋଧୀ ଦଳ ଉପନେତା । ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘କଂଗ୍ରେସ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଯାଉ’ । ‘କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଅଣାଯାଉ’ । ‘ଏହା ନ ହେଲେ ଗୃହ ପରିପୂର୍ଣ୍ଣ ହେବନାହିଁ’ । ଏପରିକି ତାରାପ୍ରସାଦଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ବାଚସ୍ପତିଙ୍କୁ ଭେଟିଛନ୍ତି ବିଜେଡ଼ି ଟିମ୍ ।
ତାରାଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ବିରୋଧୀଙ୍କ ଚାପ ପରେ ଏବେ ସମସ୍ତଙ୍କ ନଜର ରହିଛି ବାଚସ୍ପତି କି ନିଷ୍ପତ୍ତି ନେଉଛନ୍ତି ।