କନକ ବ୍ୟୁରୋ: ନୂଆ ମୋଡ଼ରେ ନୂଆପଡ଼ା ରାଜନୀତି । ଜୟ ଢୋଲକିଆ ପଦ୍ମ ଧରିବା ପରେ ବଦିଳିଛି ସମୀକରଣ, ବଦଳିଛି ରଣନୀତି । ଏବେ ଦେଖିବା ବାକି ରହିଲା,  ବିଜୟ ନେଇ ୩ ଦଳର ଅଙ୍କକଷା ଭିତରେ ଏବେ ନୂଆପଡ଼ା ଭୋଟରଙ୍କ ଭରସା ଜିତିବ କିଏ ? 
                      
                        ଗୋଳମାଳିଆ ନୂଆପଡ଼ା ରାଜନୀତି
                        ବିଜେପିର ବିଜୟ ନେଇ ବସନ୍ତଙ୍କ ଦୃଢ଼ୋକ୍ତି
ନୂଆପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଜୟ ଢୋଲକିଆ ପଦ୍ମ ଧରିବା ପରେ ବିଜେପି ଶିବିର ଯେତିକି ଉତ୍ସାହିତ ସେତିକି ଚିନ୍ତିତ । ଟିକେଟ ଦୌଡ଼ରେ ଆଗରେ ଥିବା ବସନ୍ତ ପଣ୍ଡା,  ଜୟ ଢୋଲକିଆଙ୍କୁ ସ୍ବାଗତ କରିଛନ୍ତି ହେଲେ ତୃଣମୂଳସ୍ତରର ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବା ଦଳର ରଣନୀତିକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ପ୍ରାର୍ଥୀଙ୍କ ନାଁରେ ମୋହର ବାଜିନଥିବା ବେଳେ କୋର କମିଟି ବୈଠକରେ ସାମିଲ ହୋଇ ବିଜେପିର ଶତ ପ୍ରତିଶତ ବିଜୟ ନେଇ ଦମ୍ଭ ଦେଖାଇଛନ୍ତି ବସନ୍ତ । ଯାହା ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଆଶ୍ବସ୍ତ କରିଛି। ହେଲେ ଅନ୍ୟତମ ଆଶାୟୀ ପ୍ରସନ୍ନ ପାଢୀ କହିଛନ୍ତି, ଟିକେଟ ଘୋଷଣା ଯାଏଁ ଅପେକ୍ଷା କରନ୍ତୁ। 

Advertisment


ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡିର ହିସାବକିତାବ ଓଲଟପାଲଟ ହୋଇଛି । ଭୋଟଗଣିତରେ ବିଜେଡି ବ୍ୟାକଫୁଟ୍‌ରେ ରହିଛି । ଦଳ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜୟ ନେଇ କିନ୍ତୁ ଦୃଢ ଆଶାବାଦୀ ଅଛି । ଏପରିକି ନୂଆପଡ଼ାରେ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ ହେବ ବୋଲି କହିଛନ୍ତି ବିଧାୟକ ବିଶ୍ବ ମଲ୍ଲିକ । ଅନ୍ୟପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ନୂଆପଡ଼ାରେ ତ୍ରିମୁଖୀ ନୁହେଁ ବିଜେପି-କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । ପକେଟ୍ ଭୋଟ୍ ଏବଂ  ବିଜେପି ଓ ବିଜେଡିର ଅସନ୍ତୁଷ୍ଟ କର୍ମୀଙ୍କ ଭୋଟକୁ ନେଇ ବିଜୟ ଅଙ୍କ କଷିଛନ୍ତି ଭକ୍ତ ।