କନକ ବ୍ୟୁରୋ: ଏପ୍ରିଲ ୧ରେ ୩୨ତମ ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି ଅନୁଗୁଳ ଜିଲ୍ଲା । ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ଜିଲ୍ଲାର ଇତିହାସ ଓ ଭବିଷ୍ୟତକୁ ନେଇ ଆଲୋଚନା ହୋଇଛି । କିନ୍ତୁ ନାମ କରଣକୁ ନେଇ ଦ୍ଵନ୍ଦ୍ୱ ଦୂର ହୋଇପାରିନି । ପ୍ରକୃତ ନାଁ କଣ? ଅନୁଗୋଳ, ଅନୁଗୁଳ ନା ଅନଗୋଳ । ୧୯୯୩ରୁ ଜିଲ୍ଲା ମାନ୍ୟତା ପାଇଛି ସତ କିନ୍ତୁ ସ୍ୱାଭିମାନ ଓ ଅସ୍ମିତା ସହ ଜଡ଼ିତ ଜନ୍ମ ମାଟିର ନାଁରେ ନାହିଁ ଶୁଦ୍ଧତା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଜିଲ୍ଲାର ଭିନ୍ନଭିନ୍ନ ନାଁ ।
ପରିବର୍ତ୍ତନ ସ୍ଵରରେ ନିଜକୁ ସାମିଲ କରି ଶିଳ୍ପ ଓ ଖଣି କ୍ଷେତ୍ରରେ ଆଗକୁ ବଢ଼ିଛି । ତଥାପି ଶିଳ୍ପନଗରୀ ନାଁକୁ ନେଇ ଅନେକ ଦ୍ଵନ୍ଦ୍ୱ । ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଗୋଟିଏ, କୋର୍ଟରେ ଆଉ ଗୋଟିଏ ନାଁ । କେଉଁଠି ଅନୁଗୋଳ ତ କେଉଁଠି ଅନୁଗୁଳ । ସରକାର ପରେ ସରକାର ବଦଳୁଛନ୍ତି । ସ୍ୱାଭିମାନ ଓ ଅସ୍ମିତା ସହ ଜଡ଼ିତ ଜନ୍ମ ମାଟିର ନାଁରେ ନାହିଁ ଶୁଦ୍ଧତା । ଅସ୍ମିତାକୁ ନେଇ ସରକାର ଗଢି ଥିବା ବର୍ତ୍ତମାନ ରାଜ୍ୟ ସରକାର ଅନୁଗୋଳ ନାମ କରଣକୁ ଧ୍ୟାନ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।
୧୯୯୩ ଏପ୍ରିଲ ୧ରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପାଇଥିଲା ଅନୁଗୋଳ । ଯୁବାବସ୍ଥାରେ ଜିଲ୍ଲା ତା'ଛାତିରେ ଅନେକ ଶିଳ୍ପ ଓ ଖଣିକୁ ସ୍ଥାନ ଦେଇଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ପରିଚୟ ପାଇଛି । କିନ୍ତୁ ସ୍ୱାଭିମାନ ଓ ଅସ୍ମିତା ସହ ଜଡ଼ିତ ନାଁ ଦ୍ଵନ୍ଦ୍ୱ ଦୂର ହୋଇପାରିନି । ଅନୁଗୋଳ ନା’ ଅନୁଗୁଳ । କିଏ ଠିକ୍, କିଏ ଭୁଲ୍? ତା’ ଉତ୍ତର କାହା ପାଖରେ ନାହିଁ । ସବ୍ଡିଭିଜିନାଲ ରେକର୍ଡ ରୁମରେ ଥିବା ୧୮୪୮, ୧୯୦୮ ମସିହାର ଦସ୍ତାବିଜରେ ଜିଲ୍ଲାର ନାମ ଅନୁଗୁଳ ରହିଛି । ଐତିହାସିକ ମତରେ ଅନୁ ନାମକ କନ୍ଧ ବଂଶୀୟ ରାଜା, କ୍ଷେତ୍ରୀୟ ବଂଶୀ ରାଜାଙ୍କ ସହ ଗଣ୍ଡଗୋଳ କରିଥିଲେ । ସେହି ସମୟରେ ରାଜାଙ୍କ ନାମରୁ ଅନୁ ଓ ଗଣ୍ଡଗୋଳ ଶବ୍ଦରୁ ଗୋଳ ଶବ୍ଦ ଆସି ଜିଲ୍ଲାର ନାମ ଅନୁଗୋଳ ହୋଇଛି ।
ଜିଲ୍ଲାର ସଠିକ୍ ନାମକରଣ ଦିଗରେ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଉଦ୍ୟମ ନିହାତି ଜରୁରୀ ବୋଲି ଯୁକ୍ତି ବାଢ଼ିଛନ୍ତି ଜିଲ୍ଲାବାସୀ ।