କନକ ବ୍ୟୁରୋ: ରାଜ୍ୟରୁ ହଟିବେ ବେଆଇନ ବାଂଲାଦେଶୀ । ସରକାରଙ୍କ ଏହି ଘୋଷଣା ପରେ ହଟୁନି ଶରଣାର୍ଥୀ ଓ ଅନୁପ୍ରବେଶକାରୀ ଦ୍ୱନ୍ଦ୍ୱ । ଏହାରି ଭିତରେ ମାଲକାନଗିରି ଜିଲ୍ଲାରେ ଅନୁପ୍ରବେଶକାରୀ ସନ୍ଦେହରେ ୪ ଜଣ ଯୁବକଙ୍କୁ ଅଟକ ପରେ ଛାଡ଼ି ଦିଆଯାଇଛି । ମାଲକାନଗିରି ଏମ୍ଭି-୪ ଗାଁର ଏକ ଘରେ କେତେକ ଅଜଣା ଲୋକ କିଛି ମାସ ଧରି ରହିଆସୁଥିଲେ । ଏମାନେ ଭାରତୀୟ ନାଗରିକ ହୋଇନଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଏହି ୪ ଯୁବକଙ୍କଠାରୁ ଗାଁ ଲୋକେ ଅସଲ ପରିଚୟ ମାଗିବା ପରେ ସେମାନେ ବାରମ୍ବାର ନିଜର ବୟାନ ବଦଳାଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୁଲିସ ରବିବାର ବିଳମ୍ବିତ ରାତିରେ ଏମ୍ଭି-୪ ଗାଁରେ ପହଞ୍ଚି ସମ୍ପୃକ୍ତ ୪ ଯୁବକଙ୍କୁ ପଚରାଉଚରା କରିଥିଲେ । ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ ଛାଡ଼ିଦେଇଛି ପୁଲିସ ।
ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଓଡ଼ିଶାରୁ ବିଦା କରାଯିବ । ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ପରେ ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମନରେ ଛନକା ପଶିଛି । ରାଜ୍ୟର ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଖୁନ୍ଦି ହୋଇ ରହିଛନ୍ତି ବାଂଲାଦେଶୀ । କେନ୍ଦ୍ରାପଡ଼ାରେ ବାଂଲାଦେଶ ଭର୍ତ୍ତି ହୋଇ ରହିଛନ୍ତି । ୧୯୭୧ ବଙ୍ଗ ବିଭାଜନ ପରେ ଅନେକ ଶରଣାର୍ଥୀ ମାଲକାନଗିରିରେ ବି ରହୁଛନ୍ତି । ସେମାନଙ୍କୁ ଘର ଓ ଚାଷଜମି ବି ଦିଆଯାଇଥିଲା । ଅନେକ ଭାରତୀୟ ନାଗରିକ ଭାବେ ସୁବିଧା ବି ପାଉଛନ୍ତି । ସମୁଦ୍ର ଦେଇ ପଶି ଆସିଛନ୍ତି ବହୁ ବାଂଲାଦେଶୀ । ୨୦୦୬ ମସିହାର ତଥ୍ୟ ଅନୁସାରେ କେନ୍ଦ୍ରପଡାରେ ୧୬୪୯ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ । କିନ୍ତୁ ରାଜନୈତିକ ଆକ୍ରୋଶ ରଖି ତାଲିକା ପ୍ରସ୍ତୁତ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇନି । ଏବେ ସରକାରଙ୍କ ଘୋଷଣା ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ସେପଟେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ । ଯେଉଁଠି ଅନୁପ୍ରବେଶକାରୀ ରହୁଛନ୍ତି ସେଠି ବିଭ୍ରାନ୍ତ କରୁଛନ୍ତି । ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଯାହା ଫଳରେ ଜନ ସାଧାରଣଙ୍କ ପ୍ରତି ବିପଦ ବଢ଼ୁଛି । ତେଣୁ ଏହା ଆମ ଦାୟିତ୍ୱ, ସେମାନଙ୍କୁ ଚିହ୍ନଟ କରି, ତାଙ୍କ ଦେଶକୁ ପଠାଇବା । ସେମାନେ ଏଠାରେ କିପରି ଭୋଟ ପରିଚୟ ପତ୍ର ଓ ରାସନ କାର୍ଡ ପାଇଲେ ସେ କଥାର ମଧ୍ୟ ଅନୁସନ୍ଧାନ କରାଯାଉଛି । ଏବେ ସର୍ଭେ ଚାଲିଛି । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନିରୀକ୍ଷଣ କରୁଛନ୍ତି । ଏହା ଉପରେ ପଦକ୍ଷେପ ନିଶ୍ଚୟ ନିଆଯିବ ବୋଲି ମନ୍ତ୍ରୀ କୃଷ୍ଣ ମହାପାତ୍ର କହିଛନ୍ତି ।
Follow Us