କନକ ବ୍ୟୁରୋ: ୱାକଫ୍ ବିଲକୁ ନେଇ ବିଜେଡିର ବିବେକ ଫାଳ ଫାଳ । ନବୀନଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ଦଳର କିଛି ସାଂସଦ । ୨ ଦିନ ପୂର୍ବରୁ ହୋଇଥିବା ନିଷ୍ପତ୍ତି ହଠାତ୍ କେମିତି ବଦଳିଗଲା ? ନିଷ୍ପତ୍ତି ପରିବର୍ତ୍ତନ ପଛରେ ନବୀନ ନା ଆଉ କିଏ ? ତାହାକୁ ନେଇ ପ୍ରଶ୍ନ ଉଠିଛି ।
ବିଜେଡିର ଆଭିମୁଖ୍ୟକୁ ନେଇ ହଇଚଇ
ଯେତେବେଳେ ଦ୍ୱନ୍ଦ୍ୱ ଦେଖାଯାଏ, ସେତେବେଳେ ନିଷ୍ପତ୍ତି ନେବା ସହଜ ହୋଇନଥାଏ । କ୍ଷମତାରୁ ଯିବା ପରେ ବିଜେଡିରେ ଠିକ୍ ସେହିଭଳି ସ୍ଥିତି ଦେଖାଦେଇଛି । ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟ ସମୟରେ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଛି । ରାଜ୍ୟସଭାରେ ବିଜେଡିର ୭ ଜଣ ସାଂସଦ ଥିଲେ ମଧ୍ୟ ୱାକଫ୍ ବିଲ ଭୋଟିଂକୁ ନେଇ କାହାର କାହା ସହ ମନ ମିଶିନି । ୨ ଦିନର ଘଣ୍ଟା ଚକଟା ପରେ ଦଳୀୟ ସାଂସଦ ଯେଉଁ ନିଷ୍ପତ୍ତି ନେଲେ ତାହା ବିଜେଡି ରାଜନୀତିରେ ସବୁକିଛି ଠିକ୍ ଚାଲିନି ବୋଲି ବାର୍ତ୍ତା ଦେଇଛି । ପ୍ରଶ୍ନ ଉଠୁଛି,
ତରବରିଆ ନିଷ୍ପତ୍ତି ପରିବର୍ତ୍ତନ ପଛରେ ଅଛି କାହାର ହାତ ?
ସୁପ୍ରିମୋଙ୍କ ଜାଣତରେ ନିଷ୍ପତ୍ତି ବଦଳାଇଥିଲେ ତ ସାଂସଦ ?
ନା ବିଜେଡି ସାଂସଦଙ୍କ ଉପରେ ଥିଲା ଅଦୃଶ୍ୟ ଚାପ ?
ୱାକଫ୍ ବିଲକୁ ନେଇ ବିଜେଡି ଯେ ଫାଳଫାଳ ସେଥିରେ ଆଉ ଦ୍ୱିମତ ନାହିଁ । କାରଣ ଦଳର ସାଂସଦ ଅଚାନକ ଓ ଅତର୍କିତ ଭାବେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି । ବୁଧବାର ଏପ୍ରିଲ ୨ରେ ୱାକଫ୍ ବିଲକୁ ନେଇ ସାଂସଦ ସସ୍ମିତ ପାତ୍ର କହିଥିଲେ, ବିଜେଡି ରାଜ୍ୟସଭାରେ ବିତର୍କରେ ଭାଗ ନେଇ ଦୃଢ଼ ଭାବେ ଏହି ବିଲ୍କୁ ବିରୋଧ କରିବ ।
୩ ଏପ୍ରିଲ ଗୁରୁବାର ଅପରାହ୍ନରେ ବିଜେଡି ସାଂସଦ ମୁନ୍ନା ଖାନ୍ ବିତର୍କରେ ଭାଗ ନେଇ ବିଲ୍କୁ ଜୋରଦାର ବିରୋଧ କରିଥିଲେ । ବିଲ୍ ବିରୋଧରେ ଭୋଟ ଦେବାକୁ ନବୀନଙ୍କ ନିର୍ଦ୍ଦେଶ ଥିବା କହିଥିଲେ । ସଂସଦରେ ମୁନ୍ନା ଖାଁଙ୍କ ଭାଷଣ ସରୁ ସରୁ ସସ୍ମିତ ପାତ୍ରଙ୍କ ପୋଷ୍ଟ ବିଜେଡିର ଆଭିମୁଖ୍ୟକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା । ଦଳୀୟ ହ୍ୱିପ୍ ନଥିବାରୁ ବିବେକ୍ ଅନୁଯାୟୀ ଭୋଟ ଦେବୁ ବୋଲି କହି ୟୁ-ଟର୍ଣ୍ଣ ମାରିଥିଲେ ସସ୍ମିତ । ସଂସଦରେ ବିଲ୍ ପାରିତ ହେବା ପରେ ମୁହଁ ଖୋଲିଥିଲେ ସସ୍ମିତ । ଆଉ କହିଥିଲେ ବିଲ୍ ସପକ୍ଷରେ ଭୋଟ ଦେଇଛି । ୱାକଫ୍ ବିଲକୁ ବିରୋଧ କରିବାକୁ ନବୀନ ପ୍ରଥମରୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ମୁନା ମାନିଥିଲେ । କିନ୍ତୁ ସସ୍ମିତଙ୍କୁ ବିବେକ ଅନୁଯାୟୀ ଭୋଟ୍ ଦେବାକୁ କହିଥିଲା କିଏ ? ଦେବାଶିଷ ସାମନ୍ତରାୟ ଭୋଟରୁ ଦୂରେଇ ରହିଥିବା ବେଳେ ଅନ୍ୟ ୪ ସାଂସଦ ସମର୍ଥନ ନା ବିରୋଧରେ ଭୋଟ୍ ଦେଇଛନ୍ତି ତାହା ସବୁଠୁ ବଡ଼ ପ୍ରଶ୍ନ ।