କନକ ବ୍ୟୁରୋ: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ଏକ ବୃହତ ବିଜୟ ହାସଲ କରିବା ପରେ ଏବେ ଗିଲ୍‌ ବାହିନୀର ଆତ୍ମବିଶ୍ୱାସ ବଢ଼ିଛି । ଏବେ ଐତିହାସିକ ଲର୍ଡସ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଜୋରଦାର ଅଭ୍ୟାସ କରୁଛି ଟିମ୍‌ ଇଣ୍ଡିଆ । ଏହାପୂର୍ବରୁ ଇଂଲଣ୍ଡକୁ ଭାରତଠାରୁ ବିଜୟ ହେବା ମନ୍ତ୍ର ଦେଉଛନ୍ତି ପୂର୍ବତନ କ୍ରିକେଟର ଦିନେଶ କାର୍ତ୍ତିକ । ବର୍ତ୍ତମାନ ୫ ଟିକିଆ ଟେଷ୍ଟ୍‌ ସିରିଜ୍‌ ୧-୧ରେ ବରାବର ରହିଛି । ପ୍ରଥମ ଟେଷ୍ଟ୍‌ ଲିଡ୍ସ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ ଦମ୍‌ଦାର ପ୍ରଦର୍ଶନ ପରେ ବି ବିଜୟ ହାସଲ କରିପାରିନଥିଲା ଟିମ୍‌ ଇଣ୍ଡିଆ । ୫ ୱିକେଟ୍‌ରେ ମ୍ୟାଚ୍‌ ଜିତି ନେଇଥିଲା ଇଂଲଣ୍ଡ ।  

Advertisment

ଏହାପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପୁରୁଣା ଭୁଲ ସୁଧାରି ଭାରତୀୟ ଦଳର ଉଭୟ ବ୍ୟାଟର ଓ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଉଭୟ ଇନିଂସରେ କ୍ୟାପ୍‌ଟେନ୍‌ ଗିଲ୍‌ଙ୍କ ଶତକୀୟ ପାଳି ଓ ପନ୍ତଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଟିମ୍‌ ଇଣ୍ଡିଆ ବଡ଼ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା । ଏହାପରେ ବୋଲିଂରେ ଧାର ଦେଖାଇଥିଲେ ଫାଷ୍ଟ ବୋଲର ଆକାଶଦୀପ । ଯାହାଫଳରେ ଭାରତ ୩୩୬ ରନ୍‌ରେ ଏହି ମ୍ୟାଚ୍‌କୁ ଜିତି ସିରିଜକୁ ବରାବର କରିଛି । ଏବେ ଏକ ସାକ୍ଷାତକାରରେ ଦିନେଶ କାର୍ତ୍ତିକ ଇଂଲଣ୍ଡକୁ ବିଜୟ ଟ୍ରିକ୍‌ କହିଛନ୍ତି ।

ସ୍କାଏସ୍ପୋର୍ଟସ୍‌ର ଏକ ଆଲୋଚନା ବେଳେ ଦିନେଶ କାର୍ତ୍ତିକଙ୍କୁ ଭାରତର ବିଜୟ ପଛର ମୂଳ କାରଣ ଓ ଇଂଲଣ୍ଡର ଦୁର୍ବଳତା ବିଷୟରରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେଇ କାର୍ତ୍ତିକ ଭାରତର ବୋଲିଂ ଆଟାକ୍‌ ସାମ୍ନାରେ ଇଂଲଣ୍ଡ ଦଳ ୩ ନମ୍ବରରେ ଓଲି ପୋପ୍‌ଙ୍କ ସ୍ଥାନରେ ଜ୍ୟାକବ୍‌ ବେଥେଲ୍‌ଙ୍କୁ ସୁଯୋଗ ଦେବାକୁ ଉପଦେଶ ଦେଇଛନ୍ତି । କାର୍ତ୍ତିକଙ୍କ ମତରେ ସେ ଟିମ୍‌ ଇଣ୍ଡିଆର ବୋଲିଂର ଜବାବ ଦେବାକୁ ସମର୍ଥ ।  

ଜ୍ୟାକବ ବେଥେଲ୍‌ ଗତ ଆପିଏଲ ସିଜିନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିଲେ । ଦମଦାର ପ୍ରଦର୍ଶନ କରି ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । କାର୍ତ୍ତିକ ଆର୍‌ସିବି ଦଳର ବ୍ୟାଟିଂ କୋଚ୍‌ ଓ ମେଣ୍ଟର ଦାୟିତ୍ୱରେ ରହିଛନ୍ତି । ଏଣୁ ସେ ଏବେ ଜ୍ୟାକବ୍‌କୁ ନେଇ କହିଛନ୍ତି, “ଜ୍ୟାକବ୍‌ ଯେକୌଣସି ବ୍ୟାଟିଂ କ୍ରମରେ ଖେଳିବାକୁ ସକ୍ଷମ । ଏହି ପ୍ରତିଭା ଯୋଗୁଁ ହିଁ ତାଙ୍କୁ ଆର୍‌ସିବି ଦଳରେ ସାମିଲ କରାଯାଇଥିଲା । ବେଥେଲ ଜଣେ ଯୁବ କ୍ରିକେଟର । ବର୍ତ୍ତମାନ ସୁଦ୍ଧା ସେ କେବଳ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି ।”