କନକ ବ୍ୟୁରୋ : ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଲାଭଖୋର ମନୋଭାବ ରଖି ନିମ୍ନ ମାନର କାମ କରୁଛନ୍ତି । ବାଲେଶ୍ୱର ବାଲିଆପାଳରୁ ଇଡକୋ ଡାକ୍ତରଖାନା ପରିସରର ନୂତନ କୋଠା ନିର୍ମାଣରେ ଏପରି ଦୁର୍ନୀତି ସାମ୍ନାକୁ ଆସିଛି । ହାତ ମାରିଲେ ଢଳେଇ ଭାଙ୍ଗି ଯାଉଛି ।
ବାଲେଶ୍ୱର ବାଲିଆପାଳ ବ୍ଳକ ଇଡକୋ ଡାକ୍ତରଖାନା ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୦ଲକ୍ଷ ଟଙ୍କା ବ୍ୟୟରେ ନୂଆ ଘର ତିଆରି କରାଯାଇଛି । କୋଠା ନିର୍ମାଣ ସରି ରଙ୍ଗ ମଧ୍ୟ ସରିଲାଣି । ହେଲେ କୋଠାରେ ହୋଇଥିବା ଢଳେଇ ଅତ୍ୟନ୍ତ ନିମ୍ନମାନର । ହାତ ମାରୁମାରୁ କଂକ୍ରିଟ୍ ଭାଙ୍ଗି ଯାଉଛି । ସିମେଣ୍ଟ ଭାଗ କମ୍ ଦେଇ ପଟୁ ମିଶା ବାଲି ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି ।
ଇଡକୋ ଡାକ୍ତରଖାନା ଉପରେ ବାଲିଆପାଳ, ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ଶଜ୍ୟା ଓ ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । ସେଥିପାଇଁ ନୂତନ କୋଠା ନିର୍ମାଣ କରାଯାଉଛି । ହେଲେ ସୂଚନା ଫଳକ ନଲଗାଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରାରେ ସରକାରୀ ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି ।
ଘଟଣାର ତଦନ୍ତ କରି ଦାୟିତ୍ୱରେ ଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।