କନକ ବ୍ୟୁରୋ: ରାଉରକେଲାରେ ଏବର୍ଷ ପୂଜା ବଜାରରେ ଶଙ୍ଖ ଓ ଶଙ୍ଖ ତିଆରି ସାମଗ୍ରୀର ଭଲ ବ୍ୟବସାୟ ହୋଇଛି । ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଆସି ଏଠାରେ ପସରା ମେଲାଇଥିଲେ । ଭଲ ଜିନିଷ ପାଇ ଗ୍ରହକ ଖୁସିଥିବା ବେଳେ ବ୍ୟବସାୟୀ ମଧ୍ୟ ଭଲ ବ୍ୟବସାୟ କରି ଖୁସି ଅଛନ୍ତି ।
ପୂଜା ମଣ୍ଡପ ନିକଟରେ ଜମିଲା ଶଙ୍ଖ ବେପାର । ବିଭିନ୍ନ ସ୍ଥାନରୁ ଆସିଥିବା ଫେରିବାଲା ରାଉରକେଲାରେ ଦୋକାନ ଖୋଲି ଶଙ୍ଖ ବିକି ବେଶ୍ ଭଲ ରୋଜଗାର କରିଛନ୍ତି । ଶଙ୍ଖରୁ ତିଆରି ଜିନିଷ ଜିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଥିଲା । ସମୁଦ୍ରରେ ମିଳୁଥିବା ଶଙ୍ଖରୁ ତିଆରି ଭଳିକି ଭଳି ସାମଗ୍ରୀ ବେଶ୍ ଆକର୍ଷଣୀୟ ହୋଇଥିବାରୁ ବ୍ୟବସାୟ ମଧ୍ୟ ଭଲ ହୋଇଛି । କଳା କଉଡ଼ି, ପାଣିଶଙ୍ଖ, ଶାମୁକା, ବଡ଼ କଉଡି, ଲକ୍ଷ୍ମୀ ନୃସିଂହ କଉଡ଼ି, ଦକ୍ଷିଣାବର୍ତ୍ତୀ ଶଙ୍ଖ, ବାମାବର୍ତ୍ତୀ ଶଙ୍ଖ ଓ ସୂର୍ଯ୍ୟମୁଖୀ ଶଙ୍ଖ ଆଦି ଲୋକମାନେ କିଣିନେଇଥିଲେ ।
କେବଳ ଶଙ୍ଖରେ ତିଆରି ଘରସଜ୍ଜା ସାମଗ୍ରୀ ନୁହେଁ, ଭଳିକି ଭଳି ଶଙ୍ଖଚୁଡ଼ି ମଧ୍ୟ ମିଳୁଥିଲା । ଏହି ଫେରିବାଲାଙ୍କ ଦୋକାନରେ ମହିଳାମାନେ ଭିଡ଼ ଲଗାଇଥିଲେ । ଘର ସଜାଇବା ପାଇଁ ୱାଲ୍ ହ୍ୟାଙ୍ଗିଙ୍ଗ୍, ଡୋର୍ ସ୍କ୍ରିନ୍ ମଧ୍ୟ ମିଳୁଥିଲା । ଲୋକମାନେ ଆଗ୍ରହର ସହ ଏସବୁ କିଣି ନେଇଥିଲେ । ଏହି ସବୁ ସାମଗ୍ରୀର ଦାମ୍ ୫ ଟଙ୍କାରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲା । ପୁଜା ବୁଲା ସାଙ୍ଗକୁ ନିଜ ମନପସନ୍ଦର ସାମଗ୍ରୀ, ତାହା ପୁଣି ଶସ୍ତାରେ ପାଇ ଗ୍ରାହକ ଖୁସ୍, ବ୍ୟବସାୟୀ ମଧ୍ୟ ଖୁସ୍ । ପ୍ରତିବର୍ଷ ପୂଜାକୁ ଆସି ଏହି ବେପାରୀମାନେ ଭଲ ବ୍ୟବସାୟ କରନ୍ତି ।