କନକ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି । ଧର୍ମାନୁଷ୍ଠାନରେ ମଧ୍ୟ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଆମେରିକାରୁ ଆସିଛି ବଡ଼ ବୟାନ । ଆମେରିକାରେ ସତ୍ତା ପରିବର୍ତ୍ତନ ହୋଇଥିବା ବେଳେ ନୂଆ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ ନୂଆ ସରକାରରେ ବାଂଲାଦେଶ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ୟୁଏସ୍ କମିସନ ଫର ଇଣ୍ଟରନ୍ୟାସନାଲ ରିଲିଜିଅସ୍ ଫ୍ରିଡମର ପୂର୍ବତନ କମିସନର ଜାନି ମୁର । ସେପଟେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହିସିନା ମଧ୍ୟ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ।
ଉଗ୍ରବାଦ ବିରୋଧରେ ଏକଜୁଟ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ ବୟାନ ଆସିଛି । ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାକୁ ଭାରତରେ ବିରୋଧ କରାଯାଇଛି । ପଶ୍ଚିମବଙ୍ଗରେ ଆନ୍ଦୋଳନ ଦେଖିବାକୁ ମିଳିଛି । ଯେଉଁଥିରେ ହିନ୍ଦୁଙ୍କୁ ନ୍ୟାୟ ଦେବାକୁ ଦାବି କରାଯାଇଛି ।ବାଂଲାଦେଶରେ ଚାଲିଥିବା ହିଂସାକୁ ନିନ୍ଦା କରିଛନ୍ତି ପଦ୍ମ ବିଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟ ।
ସେହିପରି ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବାଗେଶ୍ବର ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ହିନ୍ଦୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ଗୁରୁବାର ଇସ୍କନ ଉପରେ ନିଷେଧାଦେଶ ଲଗାଇବାକୁ ବାଂଲାଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେଠାକାର ହାଇକୋର୍ଟ । ଏବେ ଏହାକୁ ବିରୋଧ କରି ବାଂଲାଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଏବେ ବାଂଲାଦେଶ ସରକାର ଉପରେ ଚାପ ବଢ଼ିବାରେ ଲାଗିଛି।