କନକ ବ୍ୟୁରୋ: ସାକ୍ଷୀଗୋପାଳର ନଡ଼ିଆ ଗବେଷଣା କେନ୍ଦ୍ର ଏବେ ପାଲଟିଛି ଭୁତ କୋଠି । ୧୯୫୫ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ କୃଷ୍ଣ ଚୌଧୁରୀଙ୍କ ଅମଳରେ ତତ୍କାଳୀନ ସମୟରେ ଓଡିଶାର ୧୩ଟି ଜିଲ୍ଲା ପାଇଁ ୧୬ଟି ନଡ଼ିଆ ଫାର୍ମର ମୁଖ୍ୟ କାର୍ଯ୍ୟାଳୟ ଭାବରେ ସାକ୍ଷୀଗୋପାଳ ଆଞ୍ଚଳିକ ନାରିକେଳ ଗବେଷଣା କେନ୍ଦ୍ର ଭାବରେ ବେଶ ପରିଚିତ ଥିଲା । ଏବେ କିନ୍ତୁ ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଗବେଷଣା କେନ୍ଦ୍ର ଭୂତ କୋଠୀ ହୋଇ ପଡ଼ିରହିଛି ଆଉ ଏପଟେ କାଗଜ କଲମରେ ଚାଷୀଙ୍କ ବିକାଶ ହେଉଛି । ଯାହାକୁ ନେଇ ସାକ୍ଷୀଗୋପାଳରେ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।
ଗୋଟିଏ ପଟେ ଓଡ଼ିଶାରେ ଆସି କେରଳ ନଡ଼ିଆ ବିକ୍ରି ହେଉଛି । ଅନ୍ୟପଟେ ନଡ଼ିଆ ପାଇଁ ପ୍ରସିଦ୍ଧ ସାକ୍ଷୀଗୋପାଳ ଏବେ ଅବହେଳାର ଶିକାର ହୋଇଛି । ସାକ୍ଷୀଗୋପାଳ ନଡ଼ିଆ ଗବେଷଣା କେନ୍ଦ୍ର ଗେଟରେ ପଡ଼ିଛି ତାଲା । ବର୍ଷ ବର୍ଷ ବର୍ଷ ଧରି ଗବେଷଣା କେନ୍ଦ୍ରରେ ତାଲା ପଡ଼ିଛି । ଗବେଷଣା କେନ୍ଦ୍ର କାହାରି କିଛି କାମରେ ଆସୁନି । ୧୯୮୨-୮୩ ମସିହାରେ ରାଜ୍ୟ ସରକାରଙ୍କ ଅନୁମୋଦନରେ ନାରିକେଳ ଗବେଷଣା କେନ୍ଦ୍ର ପରିସରରେ ନାରିକେଳ ପରୀକ୍ଷାଗାର ଖୋଲାଯାଇଥିଲା । ସେତେବେଳେ ରାଜ୍ୟର ୧୩ଟି ଜିଲ୍ଲାରେ ୧୬ଟି ନଡ଼ିଆ ଫାର୍ମର ମୁଖ୍ୟ କାର୍ଯ୍ୟାଳୟ ଭାବେ ଅବସ୍ଥାପିତ ହୋଇଥିଲା ଏହି କେନ୍ଦ୍ର । ଏହି ଗବେଷଣା କେନ୍ଦ୍ରରୁ ରାଜ୍ୟର କୋଣ ଅନୁକୋଣକୁ ନଡ଼ିଆ ଚାରା ପଠାଯିବା ସହ ରୋଗ ପୋକ ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଉଥିଲା । ହେଲେ ୧୯୯୦ରୁ ନାରୀକେଳ ଗବେଷଣା କେନ୍ଦ୍ର ବନ୍ଦ ପଡ଼ିଛି ।
ପ୍ରଥମେ ୧୯୫୫-୫୭ ମଧ୍ୟରେ ଆଞ୍ଚଳିକ ନାରିକେଳ ଗବେଷଣା କେନ୍ଦ୍ର ନିର୍ମାଣ ହୋଇଥିଲା । ପରେ ୧୯୮୨ରେ ଏହାକୁ ରାଜ୍ୟ ସରକାର ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରିଥିଲେ । ୧୯୯୪- ୯୫ରେ ତତ୍କାଳୀନ ସରକାର ୩୦ଟି ଜିଲ୍ଲା ପାଇଁ ୩୦ଟି ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଖୋଲାଯାଇଥିଲା । ସେବେଠୁ ସାକ୍ଷୀଗୋପାଳରେ ନାରିକେଳ ଗବେଷଣା କେନ୍ଦ୍ରଟି ଆଞ୍ଚଳିକ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ପାଲଟିଛି । ହେଲେ ପରିସରରେ ଥିବା ନାରିକେଳ ଗବେଷଣା କେନ୍ଦ୍ର ବନ୍ଦ ପଡ଼ି ଭୂତ କୋଠି ପାଲଟିସାରିଛି । ଯାହାଫଳରେ ନଡିଆ ଚାଷ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଚାଷୀ ।
ନଡ଼ିଆ ପାଇଁ ପ୍ରସିଦ୍ଧ ସାକ୍ଷୀଗୋପାଳରେ ନଡ଼ିଆ ଚାଷୀଙ୍କ ବିକାଶ ଏବେ କେବଳ କାଗଜ କଲମରେ ହେଉଛି । ହେଲେ ଚାଷୀଙ୍କୁ ଉଚିତ୍ ପରାମର୍ଶ ଦେବାକୁ କେହି ନାହିଁ ।