କନକବ୍ୟୁରୋ : ମାଲକାନଗିରି ଲେମନଗ୍ରାସ ମହାଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ । ଏନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବା ସହ ବିଧାନସଭାରେ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ମାଲକାନଗିରି ଲେମନଗ୍ରାସ ମହାଦୁର୍ନୀତି ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ ହୋଇଥିଲା ।
କାଗଜ କଲମରେ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକଙ୍କ ଜାଲ ମାଷ୍ଟର ରୋଲ ପ୍ରସ୍ତୁତ କରାଯାଉଥିଲା । ନିଜ ସମ୍ପର୍କୀୟଙ୍କ ନାଁରେ ଭେଣ୍ଡର ଖୋଲି ନକଲି ବିଲ୍ ପ୍ରସ୍ତୁତ କରାଯାଇ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି ।
ଏନେଇ ଖବର ପ୍ରସାରଣ ପରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଲେମନ ଗ୍ରାସ ତେଲ ଉତ୍ପାଦନ କେନ୍ଦ୍ରରୁ କେତେ ଲିଟର ତେଲ ଉତ୍ପାଦନ ହୋଇଛି? ଏବଂ ଏହା ଲୋକଙ୍କ ଆର୍ଥିକ ସ୍ଥିତି ଉପରେ କି ପ୍ରଭାବ ପକାଇଛି ତାର ତଦନ୍ତ ହେବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ ଲେମନ ଗ୍ରାସ ନାଁ ରେ କୋଟି କୋଟି ଟଙ୍କା ଚଳୁ ହୋଇଥିଲା । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାର ୩ଟି ବ୍ଲକରେ ଲେମନ ଗ୍ରାସ ପ୍ଲାଣ୍ଟେସନ ସାଙ୍ଗକୁ ତେଲ ଉତ୍ପାଦନ କାମ ଆରମ୍ଭ ହୋଇଥିଲା ।
ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କୁ କାମ ଧନ୍ଦା ଯୋଗାଇବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା । ତେବେ ଏହି ଚାଷର ବାସ୍ତବ ସ୍ଥିତି ଜାଣିବାକୁ ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ଆଉ ଛାନଭିନ ବେଳେ ଜଣାପଡିଥିଲା ଉଦୟଗିରି ଗାଁ ମୁଣ୍ଡରେ ୨ଟି ଲେମନ ଗ୍ରାସ ପ୍ଲାଣ୍ଟେଶନ ହୋଇଛି, ଯାହା ଧର୍ମକୁ ଆଖିଠାର ଭଳି ।