କନକ ବ୍ୟୁରୋ : ବର୍ତ୍ତମାନ ସମୟ ଆଧୁନିକ ଜ୍ଞାନ ଓ ବୈଷୟିକ ଶିକ୍ଷାରେ ପରିପୂର୍ଣ୍ଣ । ବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଟେକ୍ନୋଲୋଜି ଶିକ୍ଷା ଉପରେ ସର୍ବାଧିକ ରୁଚି ରଖୁଛନ୍ତି । କମ୍ପ୍ୟୁଟର ସାଇନ୍ସ ଭଳି ଆଧୁନିକ ବିଷୟ ବସ୍ତୁ ଉପରେ ନିଜର ଭବିଷ୍ୟତ ଗଢିବାକୁ ଆଜିର ଯୁବପିଢି ସବୁଠୁ ଆଗ୍ରହୀ । ଏଣୁ ଆଜିକାଲି ସବୁଠାରୁ ଲୋକପ୍ରିୟ ମୁଖ୍ୟ (ମେଜର୍ସ ଇଲେକଟିଭ) ହେଉଛି କମ୍ପ୍ୟୁଟର ସାଇନ୍ସ । କେବଳ ଶିକ୍ଷା ନୁହେଁ ବୃତ୍ତିଗତ ଜୀବନ ଜାପନରେ ମଧ୍ୟ ଏହାକୁ ଆପଣେଇବାକୁ ଯୁବ ସମାଜର ଆଗ୍ରହ । ଛାତ୍ରଛାତ୍ରୀମାନେ ଏହି ଶିକ୍ଷା ଦ୍ୱାରା ଦୃଢ଼ ଚାକିରି ସମ୍ଭାବନା ଏବଂ ଉଚ୍ଚ ଦରମା ଆଶା କରୁଛନ୍ତି । ମାତ୍ର ଯୁକ୍ତରାଷ୍ଟ୍ରର ତଥ୍ୟ ଏକ ଭିନ୍ନ କାହାଣୀ ପ୍ରକାଶ କରେ: ଅନେକ ସ୍ନାତକ ଏହି କ୍ଷେତ୍ରରେ ଚାକିରି ପାଇବା ପାଇଁ ସଂଘର୍ଷ କରୁଛନ୍ତି ।
ନ୍ୟୁୟର୍କର ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ତଥ୍ୟ ଉପରେ ଆଧାରିତ ନ୍ୟୁଜୱିକର ଏକ ରିପୋର୍ଟ ଅନୁଯାୟୀ, ସର୍ବାଧିକ ବେରୋଜଗାରୀ ମଧ୍ୟରେ କମ୍ପ୍ୟୁଟର ସାଇନ୍ସର ସ୍ନାତକ ଛାତ୍ରଛାତ୍ରୀ ଅଧିକ । ତଥ୍ୟ ଅନୁଯାୟୀ କମ୍ପ୍ୟୁଟର ସାଇନ୍ସର ଛାତ୍ରଛାତ୍ରୀଙ୍କ ହାର ୬.୧ ପ୍ରତିଶତ, ଯାହାକି ସପ୍ତମ ସ୍ଥାନରେ ଅଛି । ସେହିପରି ପଦାର୍ଥ ବିଜ୍ଞାନ ୭.୮ ପ୍ରତିଶତ ଏବଂ ଆନ୍ଥ୍ରୋପୋଲୋଜି ୯.୪ ପ୍ରତିଶତ ବୋଲି ଜଣା ପଡ଼ିଛି ।
କମ୍ପ୍ୟୁଟର ଇଞ୍ଜିନିୟରିଂ ଭଳି ଅନ୍ୟ ଆଧୁନିକ ବିଷୟର ମଧ୍ୟ ସଂକଟାପନ୍ନ । ସୂଚନା ମୁତାବକ କେବଳ କମ୍ପ୍ୟୁଟର ଇଞ୍ଜିନିୟରିଂ କ୍ଷେତ୍ରରେ ୭.୫ ପ୍ରତିଶତର ବେକାରୀ ହାର ଦର୍ଶାଉଛି । ଯାହା ଆଜିର ଚାକିରି କ୍ଷେତ୍ରରେ ବୈଷୟିକ ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ତାରେ ପକାଇପାରେ । ଅପରପକ୍ଷରେ ନ୍ୟୁଟ୍ରିସନ ସାଇନ୍ସ , ସିଭିଲ୍ ଇଞ୍ଜିନିୟରିଂ ଭଳି ବିଷୟରେ ବେକାରୀ ହାର ସର୍ବନିମ୍ନ ଅଛି, ଯାହା୧ ପ୍ରତିଶତରୁ ୦.୪ ପ୍ରତିଶତ ।
ମାନବ ସମ୍ବଳ ପରାମର୍ଶଦାତା ବ୍ରାୟନ ଡ୍ରିସ୍କଲ ନ୍ୟୁଜୱିକକୁ କହିଛନ୍ତି ଯେ , ଅନେକ ଛାତ୍ରଛାତ୍ରୀ କମ୍ପ୍ୟୁଟର ବିଜ୍ଞାନ ଡିଗ୍ରୀକୁ ନେଇ ଅବାସ୍ତବ ଆଶା କରିଦେଉଛନ୍ତି । କଠିନ ପରିଶ୍ରମ ବିନା କେବଳ ଭଲ ବିଷୟ ଚୟନ କରିବାରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିଛି । ଫଳତଃ ଅନେକ ଛାତ୍ରଛାତ୍ରୀ ସ୍ନାତକ ପରେ କଠିନ ପ୍ରତିଯୋଗିତା , ସୀମିତ ସୁବିଧା ସୁଯୋଗ ଏବଂ ଶିକ୍ଷାଋଣର ସମ୍ମୁଖୀନ ହେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ସମାଜରେ, ଜଣେ ଛାତ୍ରଛାତ୍ରୀଙ୍କ ସାଠିପିକେଟ୍ ଓ ବିଶ୍ୱବିଦ୍ୟାଳୟ ନାମ ପ୍ରାୟତଃ ସେମାନଙ୍କ ପ୍ରକୃତ ଦକ୍ଷତାର ସମକକ୍ଷ ହୋଇପାରୁନାହିଁ ।
ଏହି ବ୍ୟବସ୍ଥାର କାରଣ ଅବିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ଚାକିରି ପାଇଁ ତତ୍ପରତା ହୋଇପାରେ । ଯାହାର ଫାଇଦା କେତେକ ଲୋଭୀ ଶିକ୍ଷକ ଓ କ୍ୟାରିଅର କାଉନ୍ସିଲର ଉଠାଉଛନ୍ତି । ଦକ୍ଷତା ବିନା କୈଣସି ମାର୍ଗରେ କ୍ୟାରିଅର କରିବା ପ୍ରାୟ ଯୁବ ପିଢ଼ିଙ୍କୁ ସମସ୍ୟାରେ ପକାଉଛି ।