କନକ ବ୍ୟୁରୋ: ନିଲମ୍ବନ ହଟିଲା, ଘରବାହୁଡା ହେବ। କଂଗ୍ରେସର ନିଲମ୍ବିତ ଓ ବହିଷ୍କୃତ ନେତାଙ୍କ ପାଇଁ ଦ୍ବାର ଖୋଲିଦେଲେ ଭକ୍ତ। ଏଥିପାଇଁ ଖୁବଶୀଘ୍ର ନୂଆ ସଭାପତି ଜାରି କରିଛନ୍ତି ସର୍ବକ୍ଷମା ଅନୁରୋଧ ପତ୍ର। ଯାହା ଅନେକ ନିଲମ୍ବିତ ନେତାଙ୍କୁ କେବଳ ଘରବାହୁଡା କରାଇବନି ବରଂ କଂଗ୍ରେସର ହାତ ମୁଠାକୁ ଟାଣ କରିବ।
ପିସିସି ସଭାପତି ଭାବେ ଭକ୍ତଙ୍କ ପଣ। କଂଗ୍ରେସ ହାତମୁଠାକୁ କରିବେ ଟାଣ। କଂଗ୍ରେସରୁ ନେତା ମୁହଁ ଫେରାଉଥିବା ବେଳେ ନୂଆ ଅନ୍ଦାଜରେ ନିଜର କାର୍ୟ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ପିସିସି ସଭାପତି ଭକ୍ତ ଦାସ। ନିଲମ୍ବିତ ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ଭକ୍ତ ନୂଆ ଋଣନୀତି ସହ ମୈଦାନକୁ ଓହ୍ଲାଇବେ। ସମସ୍ତଙ୍କ ଉପରୁ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିବା ସହ ସର୍ବକ୍ଷମା ଅନୁରୋଧ ପତ୍ର ଜାରି କରିଛନ୍ତି ଭକ୍ତ ଦାସ।
ଭକ୍ତ ଦାସ ନୂଆ ସଭାପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଦସ୍ତଖତରେ ପୁରୁଣା ନେତା ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ହଟାଇଥିଲେ। ସୁର ରାଉତରାୟଙ୍କ ଭଳି ଅନୁଭବୀ ନେତା ଏଯାଏଁ କଂଗ୍ରେସର ନିଲମ୍ବନ ଶିକୁଳିରୁ ମୁକୁଳି ପାରିନାହାନ୍ତି। ଭକ୍ତଙ୍କର ଏହି ଫର୍ମୁଲା କାମ କଲେ କଂଗ୍ରେସକୁ ଅନେକ ନେତା ପୁଣିଥରେ କମବ୍ୟାକ୍ କରିବେ। ଅନ୍ୟପଟେ ଭୁବନେଶ୍ବରକୁ ଫେରିବା ପରେ ସିଧା ସଂକଳ୍ପ ଯାତ୍ରାରେ ଶ୍ରୀକ୍ଷେତ୍ର ଯିବେ ଭକ୍ତ ଦାସ। ଏହି ସଂକଳ୍ପ ଯାତ୍ରା ପାଇଁ ୧୬ ଜଣିଆ କମିଟିର ଦାୟିତ୍ବ ଦେବାଶିଷ ପଟ୍ଟନାୟକଙ୍କ ସମେତ ମହମ୍ମଦ ମୋକ୍କିମଙ୍କ କାନ୍ଧରେ ରହିଛି। ଚର୍ଚ୍ଚା ହେଉଛି ମୋକ୍କିମଙ୍କୁ ଅସନ୍ତୁଷ୍ଟ ନ କରିବାକୁ ଏଭଳି ଗୋଟିଚାଳନା କରିଛନ୍ତି ଭକ୍ତ। କାରଣ ଭକ୍ତଙ୍କ ସହ ମୋକ୍କିମ ମଧ୍ୟ ପିସିସି ରେସରେ ଶେଷ ପର୍ୟ୍ୟନ୍ତ ଥିଲେ।
କଂଗ୍ରେସରେ ନେତାଙ୍କ ମରୁଡି ପଡୁଥିବା ବେଳେ ଭକ୍ତଙ୍କ ସର୍ବକ୍ଷମା ଅନୁରୋଧ ଫର୍ମୁଲା ଦଳ ପାଇଁ ଆଶୀର୍ବାଦ ପାଲଟିବ ବୋଲି ଚର୍ଚ୍ଚା ହେଉଛି।