କନକ ବ୍ୟୁରୋ: ପିଏମ୍‌ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ରାଜ୍ୟ ସରକାର ସର୍ଭେ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। କିନ୍ତୁ ଯୋଜନାରେ ସାମିଲ କରିବା ପାଇଁ ସରକାରୀ ବାବୁ ଲାଞ୍ଚ ମାଗୁଥିବା କୋରାପୁଟ ପରେ କେନ୍ଦ୍ରାପଡା ରାଜକନିକାରୁ ଆସିଛି ଅଭିଯୋଗ ।

Advertisment
  • ଟଙ୍କା ଦିଅ ଘର ନିଅ!
  • ଅଭିଯୋଗର ଲମ୍ବା ତାଲିକା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ସାନମଙ୍ଗ ପଞ୍ଚାୟତ ଠାକୁରସାହିରେ ଧାଡି ଧାଡି ହୋଇ ଠିଆ ହୋଇଛି ଚାଳ ଛପର ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଗାଁରେ ସର୍ଭେ ସରିଛି । କିନ୍ତୁ, ଲୋକଙ୍କୁ ଯୋଜନାରେ ସାମିଲ କରିବା ପାଇଁ ସର୍ଭେ ପାଇଁ ଆସିଥିବା ଅଧିକାରୀ ହାତଗୁଞ୍ଜା ମାଗୁଥିବା ଅଭିଯୋଗ ହୋଇଛି।

ନୂଆଁଣିଆ ଚାଳ ଛପର ଘରେ ରୁହନ୍ତି ଠାକୁରସାହିର ଅକ୍ରୂର ବାରିକ । ପକ୍କା ଘର ଖଣ୍ଡେ ପାଇବା ଆଶାରେ ପିଏମ୍ ଆବାସ ପାଇଁ ଆବେଦନ କରିଛନ୍ତି ।  ଆଳି ବ୍ଳକ୍ ଅଫିସର କନିଷ୍ଠ ଯନ୍ତ୍ରୀ ସର୍ଭେ କରିବା ସହ  କାଗଜପତ୍ର ଦେଖିଥିଲେ । ପିଏମ୍ ଆବାସ ପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି ସମ୍ପୃକ୍ତ ଅଧିକାରୀ କହିଥିବା ଅକ୍ରୂର ଅଭିଯୋଗ କରିଛନ୍ତି। ସେହିଭଳି ପର୍ଶୁରାମ ଓଝା, ଦିବ୍ୟାଙ୍ଗ ଦମ୍ପତି ଅଶାନ୍ତ ଜେନା ଓ ତାଙ୍କ ପତ୍ନୀ ଆଶାଲତା ଜେନା, ସମସ୍ତଙ୍କର ଭଙ୍ଗା ଦଦରା ଚାଳ ଛପର ଘର। କିନ୍ତୁ ସମସ୍ତଙ୍କର  ଗୋଟିଏ ଅଭିଯୋଗ, ବାବୁ ସର୍ଭେ କରି ଆବାସ ପାଇଁ ଲାଞ୍ଚ ମାଗୁଛନ୍ତି। 

ଏ ସମ୍ପର୍କରେ ଆଳି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ତାଙ୍କ ପାଖକୁ କିଛି ଅଭିଯୋଗ ଆସିନାହିଁ। ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଗୋଟିଏ ପଟେ ସବୁ ଗରିବଙ୍କୁ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି। ଅନ୍ୟପଟେ ଭଙ୍ଗାଘରେ ରହୁଥିବା ଅଭାବୀ ପରିବାରକୁ ଆବାସ ପାଇଁ ଲାଞ୍ଚ ମାଗିବା, ଯୋଜନାରେ ରହିବା ଓ ପ୍ରକୃତ ହିତାଧିକାରୀ ଚୟନ ନେଇ ସନ୍ଦେହ ସୃଷ୍ଟି ହୋଇଛି।