କନକ ବ୍ୟୁରୋ: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ,ସନ୍ଦେହ ବଢାଇଲା ବାପାଙ୍କ ବୟାନ । ଶୁଭାଶିଷ ନାୟକ ଓରଫ କିରଣଙ୍କୁ ଗତ ଡିସେମ୍ବର ମାସରେ ଦିଶା ଫାଉଣ୍ଡେସନ ସ୍ପେଶାଲ ହୋମରେ ଛାଡିଥିଲେ ପରିବାରଲୋକ । ସୁଚିବାଇ ରୋଗ ସମେତ କିଛି ମାନସିକ ରୋଗ ଥିବା ଆଶଙ୍କା କରୁଥିଲେ । ଏଥିପାଇଁ ଚିକିତ୍ସା ମଧ୍ୟ ଚାଲିଥିଲା । ତେବେ ଡାକ୍ତର କହିଥିଲେ ଯୋଗ ପ୍ରାଣୟମ ଦ୍ୱାରା ପୁଅ ଠିକ ହେଇଯିବ। ପିପିଲି ଉତ୍ତରା ନିକଟସ୍ଥ ଦିଶା ଫାଉଣ୍ଡେସନରେ ଛାଡିଥିଲେ ବାପା ମା’ । ପ୍ରତିମାସରେ ଯାଇ ପୁଅକୁ ଦେଖିକି ଆସୁଥିଲେ ବାପା ।
ଏମିତିକି ଗତ ଦୁଇଦିନ ତଳେ ମଧ୍ୟ ବାପା ଯାଇ ପୁଅକୁ ଦେଖି ଆସିଥିଲେ ଓ ପୁଅ ସୁସ୍ଥ ଥିଲା କିନ୍ତୁ ହଠାତ ତା ପରଦିନ ଫୋନ ଆସିଲା ପୁଅ ବାନ୍ତି କରୁଛି ଓ ପନ୍ଦର ମିନିଟ ପରେ ଦିଶା ପକ୍ଷରୁ କୁହାଗଲା ପୁଅ ଜୀବନ ହରାଇଛି । ତେଣୁ ବିନା କୌଣସି କାରଣରେ ପୁଅକୁ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ଏମିତିକି ପୁଅର ହାତ ଗୋଡ଼ ବାନ୍ଧି ସେଠାରେ ଶାରୀରିକ ନିର୍ୟ୍ୟାତନା ଦେଇଥିବା କହିଛନ୍ତି ବାପା ନବକୃଷ୍ଣ ନାୟକ । ଆଜି ଶବ ବ୍ୟବଚ୍ଛେଦ କରାଯାଇଛି । ଆଗକୁ ପୁଲିସ ଏ ଦିଗରେ ସଠିକ ତଦନ୍ତ କରିବ ଓ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ମଧ୍ୟ କରିଛନ୍ତି ପରିବାରବର୍ଗ ଓ ପଡୋଶୀ ।