କନକ ବ୍ୟୁରୋ : ଥାନାରେ ଅଭିଯୋଗ କରୁଥିବା ପୀଡ଼ିତଙ୍କୁ ମିଳୁନାହିଁ ନ୍ୟାୟ । ନ୍ୟାୟ ବଦଳରେ ଅଭିଯୋଗକାରୀଙ୍କୁ ଓଲଟି ନାଲି ଆଖି ଦେଖାଉଛି ପୋଲିସ । କେଉଁଠି ଖୋଦ୍ ପୋଲିସ ଅଭିଯୁକ୍ତ ହୋଇ ଗିରଫ ହେଉନାହାନ୍ତି ତ ଆଉ କେଉଁ ଥାନାରେ ଅଭିଯୋଗକାରୀ ହେଉଛନ୍ତି ନିର୍ଯ୍ୟାତନାର ଶିକାର । ନ୍ୟାୟ ଆଶାରେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ଲୋଡୁଛନ୍ତି ପୀଡ଼ିତ ।

Advertisment

ଢେଙ୍କାନାଳ ପୁଲିସଙ୍କ ଉପରେ ଭରସା କରିପାରୁନାହାନ୍ତି ଲୋକେ । ପୁଲିସର ତଦନ୍ତ ପ୍ରକ୍ରିୟାରେ ନିରପେକ୍ଷ ବଦଳରେ ପକ୍ଷପାତିତା ହେଉଛି । ଯାହା ପ୍ରମାଣ ଲାଗିଛି କନକ ନ୍ୟୁଜ୍‌ ହାତରେ । ଗତ ବର୍ଷ ଡିସେମ୍ବର ମାସରେ ମୋଟଙ୍ଗା ଥାନା ଅଧୀନ ମସାଣିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ୩୭ ବର୍ଷୀୟ ଯୁବକ ଚନ୍ଦନ ନାଏକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଥଲା । ମୁଣ୍ଡକୁ ଆକ୍ରମଣ କରୁଥିବା ବେଳେ ହାତରେ ହଣା ଖାଇ ଗୁରୁତର ହୋଇଥିଲେ ଚନ୍ଦନ । ଏନେଇ ମୋଟଙ୍ଗା ଥାନାରେ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନି । ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ପୁଲିସ ଥିବାରୁ ତଦନ୍ତରେ ଢିଲା ଦେଉଥିବା ଅଭିଯୋଗ କରିଛନ୍ତି ଚନ୍ଦନ । ବାଧ୍ୟ ହୋଇ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ଚୌଦ୍ୱାର ଜେଲ କଳି: ପୂର୍ବତନ ଜେଲର ଓ ଅଧିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ନିହଲପ୍ରାସାଦ ଥାନା ଅଧୀନସ୍ଥ ଗୋଡ଼ା ଗାଁର ମୋହନ ବାରିକ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ପୁଲିସ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗାଁ ଦାଣ୍ଡରୁ ତାଙ୍କୁ ପୁଲିସ୍‌ ଟେକିନେଇ ଥାନାରେ ନିସ୍ତୁକ ମାଡ଼ ମାରିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି । ସତ ଜାଣିବା ପାଇଁ କନକ ପ୍ରତିନିଧି ପୀଡ଼ିତଙ୍କ ସହ ନିହଲପ୍ରାସାଦ ଥାନା ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇଥିଲେ ।

ଥାନା ଅଧିକାରୀଙ୍କ ଉଚ୍ଚାରଣ ଓ ଆଚରଣ ହିଁ କହୁଛି ଅଭିଯୋଗକାରୀ କିଭଳି ବ୍ୟବହାର ପାଉଛନ୍ତି । ପୁଲିସର ଏଭଳି ବ୍ୟବହାର ଓ ପକ୍ଷପାତିତା ଯୋଗୁଁ ପୀଡ଼ିତ ନ୍ୟାୟ ପାଇଁ ମାନ୍ୟବର କୋର୍ଟଙ୍କୁ ଆଶ୍ରୟ ନେବାକୁ ବାଧ୍ୟ ହେଉଥିବା ମତ ପ୍ରକାଶ ପାଇଛି ।