କନକବ୍ୟୁରୋ : ପ୍ରାକୃତିକ ଦୁର୍ବିପାକ ସାଙ୍ଗକୁ କମ୍ପାନୀର ଦୌରାତ୍ମ୍ୟ । ଖରିଫ ଧାନ ଅମଳ ବେଳେ ବାରମ୍ବାର ଅଦିନିଆ ବର୍ଷା ଚାଷୀଙ୍କୁ ନାକେଦମ୍ କରିଛି। ଅଧାରୁ ଅଧିକ ଧାନ ନଷ୍ଟ ହୋଇଯାଇଛି । ଯାହା ଯେତିକି ବଞ୍ଚିଛି, ତାକୁ ନଷ୍ଟ କରିବାକୁ ଲାଗିଛି ଚିଙ୍ଗୁଡ଼ି କମ୍ପାନୀ । ଏଭଳି ଅଭିଯୋଗ କରିଛନ୍ତି, ପୁରୀ ଜିଲ୍ଲା ନୂଆଗଡ଼ର ଚାଷୀ । ଦଇବ ମାଡ ପରେ ନୂଆଗଡ ଚାଷୀଙ୍କୁ ଆଉ ଏକ ମାଡ ଦେଇଛି ସ୍ଥାନୀୟ ଅଞ୍ଚଳରେ ଗଢିଉଠିଥିବା ନାଭା ଫାର୍ମା ନାମକ ଘରୋଇ ଚିଙ୍ଗୁଡି କମ୍ପାନୀ ।
ଚିଙ୍ଗୁଡି ଘେରିର ବିଷାକ୍ତ ରସାୟନିକ ଯୁକ୍ତ ଲୁଣି ପାଣି ସିଧାସଳଖ ଚାଷ ଜମିରେ ମାଡୁଛି । ଫଳରେ କ୍ଷେତ ଲୁଣି ଚରିଯାଉଛି । ମାଟିର ଉର୍ବରତା ନଷ୍ଟ ହେବାରୁ ଧାନ କି ବିରି ,ମୁଗ ଭଳି ରବି ଫସଲ ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସଂପୃକ୍ତ କମ୍ପାନୀକୁ ବାରମ୍ବାର ଜଣାଇଛନ୍ତି। କମ୍ପାନୀ ପକ୍ଷରୁ ସମସ୍ୟାର ସମାଧାନ କରିବା ବଦଳରେ ଧମକ ଚମକ ଦେଉଥିବା ଚାଷୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ମନୁଷ୍ୟକୃତ ସମସ୍ୟା ଯୋଗୁଁ ଚାଷ ଉଜୁଡି ଯାଉଛି, ଚାଷୀ କ୍ଷତି ସହୁଛି । ତେଣୁ ତୁରନ୍ତ ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।