କନକ ବ୍ୟୁରୋ : ଆଇଫୋନ୍ ଯାହାକୁ ବର୍ତ୍ତମାନ ସମୟରେ ଫୋନ୍ ଦୁନିଆର ରାଜା ବୋଲି କୁହାଯାଏ । ଯାହା ପାଖରେ ଆଇଫୋନ୍ ଅଛି ତାହାର ଷ୍ଟାଇଲ୍ କାହିଁରେ କେତେ । ବିଶ୍ବର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ ନିକଟରେ ହିଁ ତା’ର ନୂଆ iPhone 17 ଲଞ୍ଚ୍ କରିଛି । ଯାହାର କ୍ରେଜ୍ କେତେ ଆପଣ ସୋସିଆଲ୍ ମିଡିଆରେ ଦେଖିବାକୁ ପାଇଥିବେ । ରାତି ଅଧରୁ କେମିତି ଧାଡ଼ିରେ ଛିଡ଼ା ହୋଇ ଲୋକ ଆଇଫୋନ୍ କିଣିଥିଲେ ତାହା ସମସ୍ତେ ଜାଣନ୍ତି । ଭାରତରେ ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ 82,900 ଟଙ୍କା ଧାର୍ଯ୍ୟ କରାଯାଇଛି । କିନ୍ତୁ ଫୋନ୍ ଯେତିକି ଚର୍ଚ୍ଚାର ବିଷୟ ନୁହେଁ ତା’ଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଖବର । ଗୋଟିଏ କମ୍ପାନି ତା’ର କର୍ମଚାରୀମାନଙ୍କୁ ଏହି iPhone 17 Pro Max ଉପହାର ଦେଇଛି । ଆଶ୍ଚର୍ଯ୍ୟକର କଥା ହେଉଛି ପୁରୁଣା କର୍ମଚାରୀଙ୍କ ସହ ନୂଆ କର୍ମଚାରୀ ଏମିତିକି ଇଣ୍ଟର୍ଣ୍ଣମାନଙ୍କୁ ମଧ୍ୟ ଚୀନର ମିଡିଆ କମ୍ପାନି ମିଡିଆଷ୍ଟର୍ମ ଏଭଳି ମହଙ୍ଗା ଉପହାର ଦେଇଛି । 

Advertisment
CEO-of-Chinese
CEO-of-Chinese Photograph: (KanakNews)

ଯାହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କମ୍ପାନିର ଜଣେ କର୍ମଚାରୀ ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ଲେଖାଥିଲା ଯେ ଆମେ ଗୋଟିଏ ମିଟିଂରେ ଥିଲୁ ସେତେବେଳେ ଆମ ପାଖକୁ ମେସେଜ୍ ଆସିଲା । ଅଫିସ ତରଫରୁ ଆମ ବସ୍ ଟିମ୍ ପାନଙ୍କ ମେସେଜ୍ ଥିଲା ଯେ “iPhone 17 ଲଞ୍ଚ ହୋଇସାରିଛି । ପୁଣି ପ୍ରତିଥର ପରି ସମସ୍ତଙ୍କୁ iPhone 17 Pro Max ମିଳିବ ଏବଂ କର୍ମଚାରୀ ସେମାନଙ୍କ ପସନ୍ଦର ରଙ୍ଗ ବାଛିପାରିବେ । ଆପଣ ଇଣ୍ଟର୍ଣ୍ଣ ହୁଅନ୍ତୁ କିମ୍ବା କର୍ମଚାରୀ ସମସ୍ତଙ୍କୁ ଆଇଫୋନ୍ ମିଳିବ । ତେବେ iPhone 17 ଲଞ୍ଚ୍ ହେବାର ମାତ୍ର କିଛି ଦିନ ହୋଇଛି କିନ୍ତୁ ମିଡିଆଷ୍ଟର୍ମର କର୍ମଚାରୀମାନେ ନିଜ କମ୍ପାନି ଯୋଗୁ ମାଗଣାରେ ଫୋନ୍ ପାଇପାରିଛନ୍ତି । କମ୍ପାନି ଏହା ମଧ୍ୟ କହିଛି ଯେ ଫୋନ୍ ଉପରେ ଲାଗୁ ହେବାକୁ ଥିବା ଟିକସ ମଧ୍ୟ କମ୍ପାନି ଦେବ । ଗତବର୍ଷ ମଧ୍ୟ ପାନ୍ କର୍ମଚାରୀଙ୍କୁ iPhone 16 Pro ଏବଂ Apple Watch ଉପହାର ସ୍ବରୂପ ଦେଇଥିଲା । ଏହି ଅବସରରେ କର୍ମଚାରୀମାନେ ନିଜ ବସ୍‌ଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ‘ଦୁନିଆର ସବୁଠାରୁ ଭଲ ବସ୍’ ବୋଲି କହିଥିଲେ । ତେବେ ଚୀନରେ ଆଇଫୋନର ଦାମ୍ ଏମିତି କେତେ ଯେ କମ୍ପାନି ସବୁ କର୍ମଚାରୀଙ୍କୁ ଫୋନ୍ ଗିଫ୍ଟ କରିଛି ଆସନ୍ତୁ ଜାଣିବା । 

ଚୀନରେ iPhone 17 ର ମୂଲ୍ୟ ୫,୯୯୯ ୟୁଆନ୍ ଯାହା ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୭୪,୪୮୨ ଟଙ୍କା । ଠିକ୍ ସେମିତି iPhone 17 Proର ମୂଲ୍ୟ ୮,୯୯୯ ୟୁଆନ୍ ଯାହା ପ୍ରାୟ ୧ ଲକ୍ଷ ୧୧ ହଜାର ୭୨୯ ଟଙ୍କା । iPhone 17 Pro Max ର ଯଦି କଥା କହିବା ତାହେଲେ ଏହାର ଦାମ୍ ୯,୯୯୯ ୟୁଆନ୍ ଅର୍ଥାତ ୧ ଲକ୍ଷ ୨୪ ହଜାର ୧୪୪ ଟଙ୍କା ଏବଂ iPhone Air ର ଦାମ୍ ୭,୯୯୯ ୟୁଆନ୍ ଅର୍ଥାତ ୯୯ ହଜାର ୩୧୩ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ । ତେବେ ସେ ଯାହା ହେଉନା କାହିଁକି ଚୀନ୍ କମ୍ପାନିର ଏଭଳି ଗିଫ୍ଟ ଏବେ ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଛି । ସମସ୍ତେ କହୁଛନ୍ତି ହେ ପ୍ରଭୁ ଆମକୁ କେବେ ଏଭଳି କମ୍ପାନି ଦେବୁ ।