କନକ ବ୍ୟୁରୋ : ହରିୟାଣା ହିସାରର ଝିଅର ପାକିସ୍ତାନ କନେକ୍ସନ । ଗୁଇନ୍ଦାଗିରି ଅଭିଯୋଗରେ ଧରାପଡ଼ିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି । ହରିୟାଣା ପୁଲିସ ଓ ଏନ୍ଆଇଏ ବିଭିନ୍ନ ଦିଗରେ ତଦନ୍ତ କରୁଛି । ତେବେ ଯେଉଁ ରାଜ୍ୟକୁ ଯାଇ ଜ୍ୟୋତି ଅଧିକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ସେହି ରାଜ୍ୟର ପୁଲିସ ସହ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ସହ ଯୋଗାଯୋଗ କରିଛି । ସେହି ରାଜ୍ୟରେ ଜ୍ୟୋତିଙ୍କ ଗତିବିଧି କ’ଣ ଥିଲା? କେଉଁ କେଉଁ ଅଞ୍ଚଳର ଭିଡ଼ିଓ ରେକର୍ଡ଼ିଂ କରିଥିଲେ? ସାଥିରେ ଆଉ କିଏ ଥିଲେ? ଏନେଇ ଖୋଳତାଡ଼ କରୁଛି ଏନ୍ଆଇଏ । ତେବେ ଯେଉଁ ରାଜ୍ୟ ସହ ଏନ୍ଆଇଏ ଯୋଗାଯୋଗ କରିଛି ସେଗୁଡ଼ିକ ହେଲା ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ପଞ୍ଜାବ, ଜମ୍ମୁକାଶ୍ମୀର, ରାଜସ୍ଥାନ ।
ଜ୍ୟୋତିଙ୍କ ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଣ୍ଟରେ ଅନେକ ସ୍ଥାନ ରହିଛି ଯେଉଁଠି ପହଞ୍ଚି ସେ ଶହ ଶହ ଭିଡ଼ିଓ କରିବା ସହ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବ ପରି ସୀମାବର୍ତ୍ତୀ ରାଜ୍ୟଗୁଡ଼ିକ ରହିଛି । ପୁଲିସର ସନ୍ଦେହ କରୁଛି ଯେ ସମ୍ବେଦନଶୀଳସ୍ଥାନ ଗୁଡ଼ିକର ଅଧିକ ଭିଡ଼ିଓ କରୁଥିଲେ ଗୁପ୍ତଚର । ତେବେ ମେ ୨୬ ପର୍ଯ୍ୟନ୍ତ ରିମାଣ୍ଡରେ ଥିବା ଜ୍ୟୋତି ଓ ଅନ୍ୟ ଗୁପ୍ତଚରଠୁ ଅଧିକ ତଥ୍ୟ ଯୋଗାଡ କରିବାକୁ ଲାଗିପଡ଼ିଛି ହରିୟାଣା ପୁଲିସ । ସେପଟେ ଜ୍ୟୋତିଙ୍କ ବାପା କହିଛନ୍ତି ତାଙ୍କ ଝିଅକୁ ମିଛ ମାମଲାରେ ଫସାଯାଇଛି ।
ଜ୍ୟୋତିଙ୍କ ଲାପଟପ ଓ ଫୋନର ଫରେନସିକ ରିପୋର୍ଟରୁ ଅଧିକ ତଥ୍ୟ ମିଳିବା ନେଇ ସମ୍ଭାବନା ରହିଛି । ଅନ୍ୟପଟେ କାଶୀର କିଛି ଭିଡ଼ିଓ ସାମ୍ନାକୁ ଆସିଛି । ଏଠାକାର ମୁସଲିମ ଅଞ୍ଚଳରେ ୧୨ଦିନ ରହିଥିଲେ ଜ୍ୟୋତି । କେବଳ ସେତିକି ନୁହେଁ କଥାବାର୍ତ୍ତା ଓ ପୋଷାକ ସବୁ କିଛି ମୁସଲିମ ପରି ଥିବା ନେଇ ଭିଡ଼ିଓରେ ଦେଖିବାକୁ ମିଳିଛି । ୬ମାସରେ ୩ଥର ବାରଣାସୀ, କାଶୀ ବୁଲିବା ପଛର କାରଣ କଣ ଏନେଇ ଉତ୍ତରପ୍ରଦେଶ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।