କନକ ବ୍ୟୁରୋ : ରାଷ୍ଟ୍ରପତି ଶାସନ ପ୍ରତ୍ୟାହାରର ଦିନ କେଇଟା ନଯାଉଣୁ ମଣିପୁରରେ ପୁଣି ଜାତିଗତ ହିଂସା । ଉଖରୁଲ ଜିଲ୍ଲାର ଲିଟାନ ଗାଁ, ବଜାର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ପୋଡ଼ାଜଳା ହୋଇଛି। ଏବେ ବି ଚାଲିଛି ଗୁଳିବିନିୟ। ବ୍ୟାପକ ସୁରକ୍ଷା ବାହିନୀ ମୁତୟନ ସହ ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଚରେନେଟ୍।  କର୍ଫ୍ୟୁ ଜାରି କରାଯାଇଛି।

Advertisment

ମଙ୍ଗଳବାର ବଡ଼ି ଭୋର୍‌ରୁ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର ।  ଦୁର୍ବୃତ୍ତମାନେ ଅନେକ ଘର ଓ ଗାଡ଼ି ପୋଡ଼ି ଦେଇଥିବା ବେଳେ ଅନେକ  ରାଉଣ୍ଡ ଗୁଳି ଚାଳନା କରିଛନ୍ତି। ନଷ୍ଟ ହୋଇଛି କିଛି ସରକାରୀ ଘର। ମଣିପୁର ଉଖରୁଲ ଜିଲ୍ଲା ଲଟାନ ବଜାର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।  କୁକି ଓ ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଲୋକମାନେ ଘର ଛାଡ଼ି ପଳାଇଛନ୍ତି। ରବିବାର ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା। ପରେ କୁକି ଓ ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆକ୍ରମଣ କରିଥିଲେ। ସ୍ଥିତି ସମ୍ଭାଳିବାକୁ ଯାଇ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ।  ମଙ୍ଗଳବାର ବଡ଼ି ଭୋରରୁ ସ୍ଥିତି ଉଗ୍ର ଓ ଅସମ୍ଭାଳ ହୋଇପଡ଼ିଛି। ଏବେ ବି ଜାରି ରହିଛି ଗୁଳିବିନିମୟ ।

ଅଧିକ ପଢ଼ନ୍ତୁ :  ପୁଣି ଜଳିଲା ମଣିପୁର : ୩୦ରୁ ଅଧିକ ଘରେ ଲଗାଇଲେ ନିଆଁ...

ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିବା ସହ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଉଭୟ ସମ୍ପ୍ରଦାୟକୁ ସଂଯମ ଆଚରଣ ଓ ଶାନ୍ତିରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂହ ଅନୁରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଓ ଘନଘନ ଜରୁରୀ ବୈଠକ ବସି ସ୍ଥିତି ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି।  ସାମ୍ପ୍ରଦାୟିକ ହିଂସା ଯୋଗୁ ପାଖାପାଖି ୧ ବର୍ଷ ହେଲା ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଗତ ଫେବ୍ରୁଆରି ୪ ତାରିଖରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ସହ ବିଜେପି ବିଧାୟକ ୟୁମନାମ୍ ଖେମଚନ୍ଦ୍ ସିଂହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ପୁଣି ମଣିପୁରରେ ହିଂସା ଦେଖାଦେଇଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।