କନକ ବ୍ୟୁରୋ : ମୌସୁମୀ କେବଳ ବର୍ଷା ଓ ଥଣ୍ଡା ପବନ ଆଣି ନଥାଏ, ବରଂ ସାଙ୍ଗରେ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆଣିଥାଏ । ବାୟୁମଣ୍ଡଳରେ ଥିବା ଅତ୍ୟଧିକ ଆର୍ଦ୍ରତା ଏବଂ ଓଦା ପୋଷାକ ବ୍ୟାକ୍ଟେରିଆ ଓ ଫଙ୍ଗସ୍ଙ୍କ ବଂଶବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ଯୋଗାଇଥାଏ । ଉପଯୁକ୍ତ ଯତ୍ନ ବିନା, ଏହି ଋତୁକାଳୀନ କାରଣଗୁଡ଼ିକ ସଂକ୍ରମଣ ବୃଦ୍ଧିର କାରଣ ହୋଇପାରେ । କିନ୍ତୁ ଲୋକମାନେ ଏହାକୁ ଅନେକ ସମୟରେ ଅଣଦେଖା କରିଥାନ୍ତି ଏବଂ ଏହି ରୋଗଗୁଡ଼ିକ ଧୀରେ ଧୀରେ ବଢ଼ିବାକୁ ଲାଗେ ।
ଜାଣନ୍ତୁ ,ବର୍ଷା ଋତୁରେ ହେଉଥିବା ସଂକ୍ରମଣଗୁଡ଼ିକ କ'ଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କ'ଣ କରାଯାଇପାରିବ ?
ଆଥଲେଟ୍ସ ଫୁଟ୍ : ଆଥଲେଟ୍ସ ଫୁଟ୍ ମୌସୁମୀ ଋତୁରେ ହେଉଥିବା ଏକ ସାଧାରଣ ଚର୍ମ ସମସ୍ୟା । ବାୟୁମଣ୍ଡଳର ଅତ୍ୟଧିକ ଆର୍ଦ୍ରତା ଏବଂ ଓଦା ଜୋତା ଫଙ୍ଗସ୍ ବଢ଼ିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ । ଏହି ସମସ୍ୟା ସାଧାରଣତଃ ପାଦ ଆଙ୍ଗୁଠି ମଝିରେ ଥିବା ଚର୍ମକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ଲାଲ ପଡ଼ିଯିବା, କୁଣ୍ଡେଇ ହେବା, ଚର୍ମ ଫାଟିବା କିମ୍ବା ଛାଡ଼ିଯିବା ଭଳି ଲକ୍ଷଣ ଦେଖାଦେଇପାରେ । ଆଥଲେଟ୍ସ ଫୁଟରୁ ବଞ୍ଚିବା ପାଇଁ, ନିଜ ପାଦକୁ ସଫା ଏବଂ ଶୁଖିଲା ରଖିବା ଆବଶ୍ୟକ । ଆବଶ୍ୟକ ପଡ଼ିଲେ ଆଣ୍ଟି-ଫଙ୍ଗଲ ପାଉଡରର ବ୍ୟବହାର କରନ୍ତୁ । ସବୁବେଳେ ସଫା, ଶୁଖିଲା ମୋଜା ଏବଂ ଜୋତା ପିନ୍ଧନ୍ତୁ ।
ଜାଦୁ : ଜାଦୁ ଏକ ସାଧାରଣ ଫଙ୍ଗାଲ ଇନ୍ଫେକସନ୍, ଯାହା ଚର୍ମ ଉପରେ ଲାଲ ଦାଗ ଭଳି ଦେଖାଯାଏ । ଏଥିରେ ପ୍ରବଳ କୁଣ୍ଡେଇ ହୁଏ। ଏଥିରୁ ବଞ୍ଚିବା ପାଇଁ, ନିଜ ଶରୀରକୁ ସଫା ଓ ଶୁଖିଲା ରଖନ୍ତୁ । ଏହା ସହ ଆଣ୍ଟି-ଫଙ୍ଗାଲ କ୍ରିମ୍ କିମ୍ବା ପାଉଡର ବ୍ୟବହାର କରନ୍ତୁ ଏବଂ ଢିଲା ସୂତା ପୋଷାକ ପିନ୍ଧନ୍ତୁ । ଟାୱେଲ କିମ୍ବା ପୋଷାକ ଅନ୍ୟମାନଙ୍କ ସହିତ ବାଣ୍ଟିବାରୁ ଦୂରେଇ ରୁହନ୍ତୁ । ଖୋଲା ଏବଂ ପବନ ଚଳାଚଳ କରୁଥିବା ଜୋତା/ଚପଲ ପିନ୍ଧନ୍ତୁ । ଓଦା ପୋଷାକ ସବୁବେଳେ ଶୀଘ୍ର ବଦଳାଇ ଦିଅନ୍ତୁ । ମୋଜା ଏବଂ ଜୋତା ପୁଣି ପିନ୍ଧିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଶୁଖିଲା ହୋଇଥିବା ଆବଶ୍ୟକ । ଯଦି ଦାଗ ବ୍ୟାପିଯାଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଠିକ୍ ନ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଏରିଥ୍ରାସମା : ଏରିଥ୍ରାସମା ଏକ ଚର୍ମ ସଂକ୍ରମଣ ଯାହା ଅଣ୍ଟା, କାଖ କିମ୍ବା ପାଦ ଆଙ୍ଗୁଠି ମଝିରେ ଥିବା ଚର୍ମ ଭାଙ୍ଗରେ ଦେଖାଯାଏ । ଏହି ଦାଗଗୁଡ଼ିକରେ କୁଣ୍ଡେଇ ହୁଏ ଏବଂ ସାମାନ୍ୟ ଜଳାପୋଡ଼ା ମଧ୍ୟ ହୁଏ । ଏଥିରୁ ବଞ୍ଚିବା ପାଇଁ, ପ୍ରତିଦିନ ଆଣ୍ଟି-ବ୍ୟାକ୍ଟେରିଆଲ ସାବୁନରେ ଗାଧାନ୍ତୁ, ଚର୍ମକୁ ଶୁଖିଲା ରଖନ୍ତୁ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ପାଉଡରର ବ୍ୟବହାର କରନ୍ତୁ । ଯଦି ଦୁଇ ସପ୍ତାହ ପରେ ଦାଗ ଆହୁରି ଖରାପ ହୋଇଯାଏ, ଯନ୍ତ୍ରଣା ହୁଏ, କିମ୍ବା ଆପଣଙ୍କର ମଧୁମେହ ଭଳି ସ୍ୱାସ୍ଥ୍ୟ ସମସ୍ୟା ଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।