କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ ବିଜେଇଏମ ସ୍କୁଲ ବିରୋଧରେ ତଦନ୍ତ ପାଇଁ ଗଠିତ ହେଲା କମିଟି । ରାଜ୍ୟ ଶିକ୍ଷା ବିଭାଗ ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରିଛନ୍ତି । ଦୁଇ ଜଣିଆ ତଦନ୍ତ କମିଟିରେ ଅଛନ୍ତି । ସରକାରୀ ବିଦ୍ୟାଳୟ, ୟୁନିଟ୍-୧ର ପ୍ରଧାନ ଶିକ୍ଷକ ଶ୍ରୀମତୀ ରିନା ମାଲିକ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁରର ଶ୍ରୀ ଗୋବିନ୍ଦ ହେମ୍ବ୍ରମ । ସେହିପରି ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଚାରିଜଣ ତଦନ୍ତରେ ଭାଗ ନେବେ ବୋଲି ସଂଘ ସଭାପତି ଶ୍ରୀ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
କିଛି ଦିନ ତଳେ ସ୍କୁଲ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହସ୍ତକ୍ଷେପ ଲୋଡିଥିଲେ ଅଭିଭାବକ ସଂଘ । ବିଜେଇମ ସ୍କୁଲ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ମିଛ କାଗଜ ବାହାନାରେ ସବ କମିଟି ତଥ୍ୟକୁ ଦେଖାଇ, ପ୍ରତ୍ୟେକ ବର୍ଷ ୨୦ ପ୍ରତିଶତ ଫି ବୃଦ୍ଧି କରୁଛନ୍ତି । ଏଥିସହ ଏଲକେଜି ଆଡ଼ମିଶନରେ ପ୍ରତ୍ୟେକ ବର୍ଷ ଡେଭଲପମେଣ୍ଟ ଫି ନାଁରେ ଡବଲ ଫି ଆଦାୟ କରି କୋଟି କୋଟି ଟଙ୍କାର ଜାଲିଆତି କରୁଥିବା ଅଭିଯୋଗ ହୋଇଛି । ଏନେଇ ମାର୍ଚ୍ଚ ୮ରେ ବଡ଼ଗଡ଼ ଥାନାରେ ବେଆଇନ ସ୍କୁଲ୍ ଫି ଆଦାୟ ପ୍ରତିବାଦରେ ଏତଲା ଦେଇଥିଲା ଅଭିଭାବକ ସଂଘ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇ ବିଜେଇଏମ ସ୍କୁଲରେ ଚାଲିଥିବା ମହାଦୁର୍ନୀତିର ନିରପକ୍ଷ ତଦନ୍ତ ପାଇଁ ସଂଘ ଦାବି କରି ଥିଲା ।