କନକ ବ୍ୟୁରୋ: ପୂଜା ମଣ୍ଡପ ଜଗିବ କମିଶନରେଟ୍ ପୋଲିସ । କେବଳ ମଣ୍ଡପ ନୁହେଁ, ରାସ୍ତାଘାଟ ବି ଜଗିବ । ଆଜିଠାରୁ ପୂଜା ମଣ୍ଡପଗୁଡିକରେ ଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଥିବାରୁ ଆଲର୍ଟ ରହଛି କମିଶନରେଟ୍ ପୋଲିସ । ପୂଜା ପାଇଁ ଡକାଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସବୁ ଥାନାର ଆଇଆଇସି ଯୋଗ ଦେଇଛନ୍ତି । ଏସିପି, ସମସ୍ତ ଅତିରିକ୍ତ ଡିସିପି ଏବଂ ସେଣ୍ଟ୍ରାଲ ଫୋର୍ସ ମଧ୍ୟ ଯୋଗ ଦେଇଛନ୍ତି । ପୂଜାଠାରୁ ଭସାଣି ପର୍ଯ୍ୟନ୍ତ ପୋଲିସ କିଭଳି କାର୍ଯ୍ୟ କରିବ ସେନେଇ ଅତିରିକ୍ତ କମିଶନର ଓ ଡିସିପି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରି ପୋଲିସ ଅଧିକାରୀମାନଙ୍କୁ ଉଚିତ୍ ପରାମର୍ଶ ଦେଇଛନ୍ତି ।

Advertisment

କେବଳ ଟ୍ରାଫିକ ପାଇଁ ୩୦ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ପୂଜା ପାଇଁ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ମହିଳା ଓ ଶିଶୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ଚୋରି, ଛିନତାଇ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୁଲିସ । ସିସିଟିଭି ସର୍ଭେଲାନ୍ସରେ ରହିବ ପୂଜା ମଣ୍ଡପ ଓ ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସଜ୍ଜିତ ଥିବା ମୋଟ ୨୨ଟି ମଣ୍ଡପରେ ୩ ଏପିଆର ବନ୍ଧୁକଧାରୀ ପୁଲିସ ଜଗିବେ ।
 
ପିଇବା ପାଣି ଠାରୁ ଆରମ୍ଭ କରି ଭଲ୍ୟୁଣ୍ଟର ପର୍ଯ୍ୟନ୍ତ ବ୍ୟବସ୍ଥା ପାଇଁ ପୂଜା କମିଟିଙ୍କୁ କୁହାଯାଇଛି । ୨ ଜଣ ଡିସିପି, ୧୦ ଜଣ ଆଡ଼ିସନାଲ ଡିସିପି, ୨୨ ଜଣ ଏସିପି, ୨୪୫ ଜଣ ଅଫିସର, ୬୫୭ ହାବିଲଦାର- କନଷ୍ଟେବଳ , ୩୨୮ହୋମଗାର୍ଡ , ଏକ ପ୍ଲାଟୁନ ବିଏସଏଫ ଏବଂ ମୋଟ ୬୩ ସେକ୍ସନ ଫୋର୍ସ ମୁତୟନ କରାଯିବ । ରାବଣପୋଡି ପାଇଁ ୧୨ ପୂଜା ମଣ୍ଡପ ଆବେଦନ କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଅନୁମତି ମିଳିଛି ।