କନକ ବ୍ୟୁରୋ : ଟ୍ୱିନ୍ ସିଟିରେ ଘଟୁଥିବା ଅପରାଧକୁ ନେଇ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ରିପୋର୍ଟ । ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି । ୨୦୨୩ ରେ ୫୨ ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୬୬ ରେ ପହଞ୍ଚିଛି । ଡକାୟତି, ଲୁଟ, ଚୋରି ଭୁବନେଶ୍ୱର ରେ ଏବର୍ଷ କମିଛି ।
ସେହିପରି କଟକ ୟୁପିଡ଼ିରେ ୨୦୨୩ ରେ ୭୮ ଟି ମର୍ଡର କେସ ସାମ୍ନାକୁ ଆସିଥିବା ବେଳେ ୨୦୨୪ ରେ ୮୯ ଟି କେସ ରୁଜୁ ହୋଇଛି । ଡକାୟତି , ଲୁଟ, ଚୋରି କଟକରେ ଗତବର୍ଷ କମିଛି । ସେହିପରି ଦଙ୍ଗା ଓ ଟ୍ରାଫିକ କେସରେ ସାମାନ୍ୟ ହ୍ରାସ ହୋଇଛି । ପ୍ରପର୍ଟି ଅଫେନ୍ସ ଗୁଡିକରେ ଟିମ ଆଖିଦୃଶିଆ ସଫଳତା ଭୁବନେଶ୍ୱର ୟୁପିଡ଼ିରେ ହାସଲ କରିଛି । ଭୁବନେଶ୍ୱର ପୋଲିସ ପ୍ରପର୍ଟି ଅଫେନ୍ସ କେସରେ ୧୧୨୫ ଜଣଙ୍କୁ ଗିରଫ କରିଥିବା ବେଳେ ୫ କେଜି ୫୫୫ ଗ୍ରାମ ସୁନା, ୧୫ କେଜିରୁ ଉର୍ଦ୍ଧ୍ବ ରୂପା, ୭୭୯ ଟି ମୋବାଇଲ ଜବତ କରାଯାଇଛି । ୬୧ ଲକ୍ଷ ୭୩ ହଜାର ଟଙ୍କା ଜବତ କରିଛି ପିଓପିଡି ଟିମ ।
ସେହିପରି କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିବା ସାଇବର କ୍ରାଇମ କ୍ଷେତ୍ରରେ ୨୦୨୪ ମସିହାରେ ୭ ହଜାର ୨୬୩ ମାମଲା ରୁଜୁ କରାଯାଇଛି । ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨୩ କୋଟି ୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କା ଠକେଇର ଶିକାର ଲୋକଙ୍କୁ ଫେରସ୍ତ ହୋଇଛି । ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । ଅନ୍ୟପଟେ ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟାକୁ ରୋକିବା ସହ ଦୁର୍ଘଟଣା ହାର କମାଇବା ୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ