କନକ ବ୍ୟୁରୋ: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ଡକାୟତି ସ୍କ୍ୱାଡ୍ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହେଲା ସ୍କ୍ବାଡ୍। ସ୍କ୍ବାଡରେ ବନ୍ଧୁକଧାରୀଙ୍କ ସହ ରହିବେ ୧୫୦ ବଛାବଛା ତାଲିମପ୍ରାପ୍ତ ପୋଲିସ ଅଧିକାରୀ । ରାଜଧାନୀ ଉପକଣ୍ଠରେ ଆପାର୍ଟମେଣ୍ଟ ଲୁଟ ରୋକିବାକୁ ଏହି ସ୍କ୍ୱାଡ୍ କାମ କରିବ। 

Advertisment
  • କମିଶନରେଟ ପୋଲିସର ଅପରେସନ ‘ଅଦୃଶ୍ୟ’
  • ଗଠନ ହେଲା ଆଣ୍ଟି ଡକାୟତି ସ୍କ୍ବାଡ୍

କେତେବେଳ ଲୁଟେରା ରାତି ଅଧରେ ମୁହଁରେ ମୁଖାବାନ୍ଧି ଘରେ ପଶୁଥିଲେ, ତ ଆଉ କେତେବେଳେ ତାଲା କାଟି ଘରେ ପଶୁଥିଲେ । ଖାଲି ସେତିକି ନୁହେଁ, ଅନେକ ସମୟରେ ବାହାଘର ପାଇଁ ଥିବା ସମସ୍ତ ଜମା ପୁଞ୍ଜି ଲୁଟି ଛୁ ମାରୁଥିଲେ। ଏଭଳି ଲୁଟେରାଙ୍କୁ କଡା ଜବାବ ଦେବା ପାଇଁ ଗଠନ ହୋଇଛି ଆଣ୍ଟି ଡକାୟତି ସ୍କ୍ବାଡ୍ । ୧୫୦ ଛାମୁଆ ପୋଲିସ ଅଧିକାରୀ ରାତି ତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରୁଛନ୍ତି ।

ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ମଧ୍ୟ ଅଛନ୍ତି ।  ରାଜଧାନୀ ଉପକଣ୍ଠରେ ପାଇଁତରା ମାରୁଛି ଏହି ଟିମ୍ । ଏ ନେଇ ଏକ ହ୍ୱାଟସଆପ୍ ଗ୍ରୁପ ମଧ୍ୟ ହୋଇଛି । ନିଜେ ଡିସିପି ଏହି ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଅଛନ୍ତି। ଆପାର୍ଟମେଣ୍ଟ ସଭାପତି, ସମ୍ପାଦକ ଓ ସବୁ ଥାନା ଅଧିକାରୀଙ୍କୁ ନେଇ ତିଆରି ହୋଇଛି ଏହି ହ୍ବାଟସଆପ୍ ଗ୍ରୁପ୍।

ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡ଼ି ଦେଖିଲେ ତୁରନ୍ତ ପହଞ୍ଚୁଛି ପୋଲିସ । ଯେଉଁ ଆପାର୍ଟମେଣ୍ଟରେ ସିସିଟିଭି କାମ କରୁନାହିଁ, ସେ ନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ସ୍କ୍ବାଡ । ଏହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରିଛି ସ୍କ୍ବାଡ୍। ଦିନରେ ମଜୁରିଆ ଭାବେ କାମ କରିବା ସହ ରାତିରେ ଲୁଟ କରୁଥିବା କିଛି ଲୋକଙ୍କ ସମ୍ପର୍କରେ ଖବର ପାଇଛି ପୋଲିସ । କିଛି ସ୍ଥାନରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସନ୍ଧାନ ମଧ୍ୟ ପାଇଛି । ଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ପାହାଳ ଅଞ୍ଚଳରୁ ସିରିଜ ଲୁଟ ଘଟଣା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଥିଲା ବଡ଼ ଚ୍ୟାଲେଞ୍ଜ ।

ପୂର୍ବରୁ ଲୁଟେରାଙ୍କୁ ଧରିବା ପାଇଁ ଛକ, ବଜାର, ଷ୍ଟେସନ ଭଳି ଜନଗହଳିପୂର୍ଣ ସ୍ଥାନରେ ପୋଷ୍ଟର ମାରୁଥିଲା କମିଶନରେଟ ପୋଲିସ। ଏବେ ଏଭଳି ଟିମର୍ ଗଠନ ଅପରାଧୀଙ୍କୁ ଧରିବାରେ କେତେ ସହାୟକ ହେବ, ତାହା ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ୍।