କନକ ବ୍ୟୁରୋ: ମୁମ୍ବାଇରୁ ଆସି ଓଡ଼ିଶାରେ ଡକାୟତି ପାଇଁ କରୁଥିଲେ ଯୋଜନା । ୩ ଅନ୍ତଃରାଜ୍ୟ ଲୁଟେରାଙ୍କୁ କାବୁ କଲା କନ୍ଧମାଳ ସାରଙ୍ଗଗଡ଼ ଥାନା ପୋଲିସ । ଲୁଟେରାମାନେ ମୁମ୍ବାଇରୁ ଆସି ସ୍ଥାନୀୟ ଡକାୟତଙ୍କ ସହାୟତାରେ ବଡ଼ଧରଣର ଡକାୟତି ପାଇଁ ଯୋଜନା ଚଳାଇଥିଲେ । ଗତକାଲି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସଲାଗୁଡ଼ା ଡ୍ୟାମ୍ ନିକଟରେ ଏହି ଗ୍ୟାଙ୍ଗ୍‌ର ତିନି ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ତିନି ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ମହମ୍ମଦ ଅରିଫ ଅନସାରୀ, ସାୱନ ସାହା ଓ ଶେଖ୍ ମୁସ୍ତାଫା । ତେବେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ ସମେତ ଅନ୍ୟ ଦୁଇ ଡକାୟତ ଫେରାର ଅଛନ୍ତି । ଡକାୟତ ଗ୍ୟାଙ୍ଗଠାରୁ ପୁଲିସ ଏକ କାର୍, ଗୋଟିଏ ପିସ୍ତଲ, ଗୋଟିଏ ଏୟାରଗନ୍, ଗୋଟିଏ ଭୁଜାଲି, ଦୁଇଟି ଛୁରୀ, ଗୋଟିଏ ଆଇଫୋନ୍ ମୋବାଇଲ୍ ସହ ନଗଦ ୧୮୦୦ ଟଙ୍କା ଜବତ କରିଛି ।