କନକ ବ୍ୟୁରୋ : ଲବ ହାଁସଦାଙ୍କ ମାମଲାରେ ନୂଆ ମୋଡ । ଲବଙ୍କ ପତ୍ନୀ ଓ ଝିଅ ଗଣମାଧ୍ୟମ ସାମ୍ନାରେ ଆସି ନ୍ୟାୟ ମାଗୁଥିବାବେଳେ ତାଙ୍କ ବିରୋଧରେ ସ୍ବର ଉଠାଇଛନ୍ତି ଲବଙ୍କ ପରିବାର ଲୋକ । କହିଛନ୍ତି, ଝିଅ ଲବର ନୁହେଁ । ୨୦୧୪ ମାର୍ଚ୍ଚ ମାସରେ ଲବର ବିବାହ ହୋଇଥିଲା । କିଛି ଦିନ ପରେ ଅଗଷ୍ଟ ମାସରେ ଲବର ସ୍ତ୍ରୀ ନିଜ ବାପା ଘରକୁ ପଳାଇଥିଲେ । ଲବ ଆଣିବାକୁ ଯାଇଥିଲେ ମଧ୍ୟ ଆସିନଥିଲେ ସ୍ତ୍ରୀ । କିନ୍ତୁ ୨୦୧୫ ଅକ୍ଟୋବରରେ ଫେରିଥିଲେ ଲବଙ୍କ ସ୍ତ୍ରୀ , ଫେରିବା ବେଳେ ସେ ୪ ମାସର ଗର୍ଭବତୀ ଥିଲେ । ୨୦୧୬ ଫେବ୍ରୁଆରିରେ ଝିଅ ଭଦ୍ରକରେ ଜନ୍ମ ହେଲା । ଝିଅର ଡିଏନଏ ଟେଷ୍ଟ କଲେ ସତ ଜଣାପଡିଯିବ ବୋଲି କହିଛନ୍ତି ଲବଙ୍କ ପରିବାର ଲୋକ । କିନ୍ତୁ ଲବଙ୍କ ପତ୍ନୀଙ୍କ ପାଖରେ ଝିଅର ଯେଉଁ ଆଧାର କାର୍ଡ ରହିଛି ସେଥିରେ ଲବ ହାଁସଦାଙ୍କର ନାଁ ରହିଛି । ଝିଅ ଜନ୍ମ ପରଠାରୁ ଲବ ହାଁସଦା ସ୍ତ୍ରୀ ଓ ଝିଅକୁ ଗୁରୁତ୍ୱ ଦେଇନଥିବା ଲବଙ୍କ ପତ୍ନୀ ଅଭିଯୋଗ କରିଆସିଛନ୍ତି ।

Advertisment

ସେପଟେ ଲବ ହାଁସଦାଙ୍କ ପ୍ରେମିକା ସୋଲୋମୀଙ୍କ ମୃତ୍ୟୁକୁ ସପ୍ତାହେ ବିତିଯାଇଥିଲେ ବି ସାମ୍ନାକୁ ଆସିନାହାନ୍ତି ଲବ ହାଁସଦା । ଲବଙ୍କ ନିର୍ଯାତନା ସହିନପାରି ସୋଲୋମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବେଙ୍ଗାଲୁରୁର ଏଚଏସଆର ଲେ ଆଉଟ ଥାନାରେ ଲବଙ୍କ ବିରୋଧରେ ଏତଲା ବି ଦିଆଯାଇଛି । ଆଉ ଏହି ସମୟରେ ଲବଙ୍କର ଆଉ ଏକ ନୂଆ ଷଡ୍‌ଯନ୍ତ୍ରର ଗୁମର ଫିଟିଛି । ନିଜେ ଅନ୍ତର୍ଦ୍ଧାନ ଥିବାବେଳେ ନେପାଳରେ ସେ ଚଳାଇଛନ୍ତି ଷଡ୍‌ଯନ୍ତ୍ର । ଥାନାରୁ ମାମଲା ଉଠାଇନେବା ପାଇଁ ନେପାଳସ୍ଥିତ ସୋଲୋମୀଙ୍କ ପରିବାର ପାଖକୁ ଦୁଇ ଜଣଙ୍କୁ ଲବ ପଠାଇଛନ୍ତି । ଏଥିରେ  ଜଣେ ହେଉଛନ୍ତି ସମୀର ଟୁଡୁ ଆଉ ଜଣେ ଶ୍ୟାମ ଟୁଡୁ । ସୋଲୋମୀଙ୍କ ଆତ୍ମହତ୍ୟା ପାଇଁ ଲବ ନୁହଁ, ବରଂ ସୋଲୋମୀ ନିଜେ ଦାୟୀ ଏହା ବୁଝାଉଥିବା ସୋଲୋମୀଙ୍କ ଭଉଣୀ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହଁ ସୋଲୋମୀଙ୍କ ସମ୍ପତ୍ତି କେତେ ରହିଛି ସେନେଇ ବି ପଚରାଉଚରା କରୁଥିବା ସୋଲୋମୀଙ୍କ ଭଉଣୀ କହିଛନ୍ତି । ଏହି ଷଡ଼୍‌ଯନ୍ତ୍ର ପାଇଁ ଲବ ଗୋଟିଏ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ତିଆରି କରିଛନ୍ତି । ମୃତ ସୋଲୋମୀଙ୍କ ଅଜା ଘର ନେପାଳରେ ଥିବାବେଳେ ତାଙ୍କ ମା ଓ ଭାଇ ଭଉଣୀ ସେଇଠି ରହୁଛନ୍ତି । ନେପାଳରେ ସେ କଣ କରୁଛନ୍ତି ତା ଉପରେ ବି ନଜର ରଖିଛନ୍ତି ଲବ ।