କନକ ବ୍ୟୁରୋ : ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ଆମେ ପ୍ରତିଟି ସେଲିବ୍ରେସନର ମୁହୂର୍ତ୍ତରେ କେକ୍ କାଟିବାକୁ ପସନ୍ଦ କରୁ । ଏପରି କୌଣସି ବ୍ୟକ୍ତିବିଶେଷ ନାହାନ୍ତି ଯାହାଙ୍କୁ କେକ୍ ଖାଇବାକୁ ଭଲ ନ ଲାଗେ । ଆଜିକାଲି ବଜାରରେ ଅନେକ ଭେରାଇଟିର କେକ୍ ମିଳୁଛି ଯେମିତିକି ରଙ୍ଗୀନ କେକ୍ , ଆଇସ୍ କେକ୍ ଏବଂ କଷ୍ଟମାଇଜ୍ କେକ୍ । ନିଜ ପସନ୍ଦ ଅନୁସାରେ ଗ୍ରାହକ ଏହି କେକ୍ ସବୁକୁ କିଣି ନିଅନ୍ତି । କିନ୍ତୁ ନିକଟରେ ଏହି ରଙ୍ଗବେରଙ୍ଗର କେକ୍ ବିଷୟରେ ଏକ ଚକିତ କରିଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଥିଲା । କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ , ୨୩୫ ଟି କେକ୍ ନମୁନାରୁ ୧୨ ଟି ନମୁନାରେ କ୍ଷତିକାରକ ରାସାୟନିକ ପଦାର୍ଥ ଚିହ୍ନଟ କରାଯାଇଥିଲା । ଯାହା କର୍କଟ ରୋଗର କାରଣ ହୋଇଥାଏ । ଏହି ୧୨ ଟି ନମୁନାରୁ ଅଲ୍ଲୁରା ରେଡ୍ , ସନସେଟ୍ ୟେଲୋ ଏଫସିଏଫ୍ , ପୋନ୍ସେଉ ୪ ଆର୍ , ଟାର୍ଟ୍ରାଜିନ୍ ଏବଂ କାର୍ମୋଏସିନ୍ ଭଳି କୃତ୍ରିମ ରଙ୍ଗ ମିଳିଥିଲା । ଦୁର୍ଭାଗ୍ୟର କଥା ହେଉଛି ଏହି ରାସାୟନିକ ପଦାର୍ଥ ସବୁ କେକରେ ଥିବା ସହ ଏହାର ମାତ୍ରା ମଧ୍ୟ ଅଧିକ ପଡ଼ିଥିଲା ।
/filters:format(webp)/kanak/media/media_files/2025/09/16/cake-2025-09-16-11-26-55.jpg)
ପ୍ୟାକେଟ୍ କେକ୍ ଏବଂ ବେକ୍ ହୋଇଥିବା କେକରେ ଟ୍ରାନ୍ସ ଫ୍ୟାଟ୍ ବ୍ୟବହାର କରାଯାଏ । ଯାହା ସୁସ୍ଥ ଶରୀର ପାଇଁ ସ୍ଲୋ ପଏଜନ୍ ସଦୃଶ । ଟ୍ରାନ୍ସ ଫ୍ୟାଟ୍ ଶରୀରରେ ହୃଦରୋଗ ଏବଂ କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ । ଏଭଳି କଲରଫୁଲ୍ କେକ୍ ଖାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୁଏ । ବଜାରରେ ମିଳୁଥିବା ଅଧିକାଂଶ କେକରେ କୃତ୍ରିମ ରଙ୍ଗ ଏବଂ ଫ୍ଲେଭର୍ ବ୍ୟବହାର କରାଯାଏ । ଯେତେବେଳେ ଦୀର୍ଘ ସମୟ ଧରି ରଙ୍ଗୀନ କେକ୍ ସେବନ କରାଯାଏ, ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼େ ଏବଂ କର୍କଟ ଭଳି ଗମ୍ଭୀର ରୋଗର କାରଣ ମଧ୍ୟ ହୋଇଥାଏ । କେକ୍କୁ ଦୀର୍ଘ ସମୟ ଧରି ତାଜା ଏବଂ ନରମ ରଖିବା ପାଇଁ ଏଥିରେ ହାଇଡ୍ରୋଜେନେଟେଡ୍ ତେଲ ବ୍ୟବହାର କରାଯାଏ, ଯାହା ଶରୀରରେ ଟ୍ରାନ୍ସ-ଫ୍ୟାଟ୍ସର ସ୍ତର ବଢ଼ାଏ । ହାଇଡ୍ରୋଜେନେଟେଡ୍ ତେଲର ବ୍ୟବହାର ଶରୀରରେ ଫୁଲା ସମସ୍ୟା ସୃଷ୍ଟି କରିପାରେ । ଏହା ହୃଦୟ ପାଇଁ ମଧ୍ୟ ବିପଜ୍ଜନକ ହୋଇଥାଏ ।
ଏଭଳି କେକରେ ଚିନିର ମାତ୍ରା ମଧ୍ୟ ଅଧିକ ଥାଏ । ଯାହାର ଅଧିକ ସେବନ କରିବା ଦ୍ୱାରା ମୋଟାପଣ, ମଧୁମେହ ଏବଂ ହୃଦରୋଗର ଆଶଙ୍କା ବଢ଼ିଯାଏ । ଅଧିକାଂଶ କେକରେ ସିନ୍ଥେଟିକ୍ ରଙ୍ଗ ବ୍ୟବହାର କରାଯାଏ, ଯାହା ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଏ । ଏହି କାରଣରୁ ପେଟ ଯନ୍ତ୍ରଣା, ଗ୍ୟାସ୍, ଅଜୀର୍ଣ୍ଣ ଏବଂ ଆଲର୍ଜି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ଅନେକ ଥର ଏହି ରଙ୍ଗଗୁଡ଼ିକ ଅନ୍ତନଳୀର ପରସ୍ତକୁ ମଧ୍ୟ କ୍ଷତି ପହଞ୍ଚା’ନ୍ତି । କୃତ୍ରିମ ରଙ୍ଗ ଥିବା କେକ୍ରୁ ଚର୍ମରେ ଦାଗ, କୁଣ୍ଡାଇ ହେବା, ଫୁଲିବା ଭଳି ସମସ୍ୟା ମଧ୍ୟ ଆରମ୍ଭ ହୋଇଥାଏ । ପ୍ରକୃତରେ ସନସେଟ୍ ୟେଲୋ ଏବଂ କାର୍ମୋଏସିନ୍ ରଙ୍ଗ ଆଲର୍ଜି ପ୍ରତିକ୍ରିୟାର ମୁଖ୍ୟ କାରଣ ହୋଇଥା’ନ୍ତି । ସିନ୍ଥେଟିକ୍ ଫୁଡ୍ କଲର୍ ଥିବା କେକ୍ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରେ । ଯେଉଁ କାରଣରୁ ଭାଇରାଲ୍, ବ୍ୟାକ୍ଟେରିଆଲ୍ ସଂକ୍ରମଣର ଆଶଙ୍କା ବହୁତ ବଢ଼ିଯାଏ । କିଛି ସିନ୍ଥେଟିକ୍ ରଙ୍ଗ ନ୍ୟୁରୋଟକ୍ସିନ୍ ଭଳି ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥା’ନ୍ତି , ଯାହା ମାନସିକ ବିକାଶକୁ କମ୍ କରିଥାଏ । ଏହା ଦ୍ୱାରା ଲୋକଙ୍କର ଶିଖିବା-ବୁଝିବା କ୍ଷମତା ଦୁର୍ବଳ ହେବା ସହ ସ୍ମରଣ ଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼େ ।