କନକବ୍ୟୁରୋ: ପୁଣି ରଙ୍ଗକୁ ନେଇ ତେଜିଲା ରାଜନୀତି। ବାଲେଶ୍ବର, ଭୋଗରାଇ ମନ୍ମଥ-ମନୋଜ ସ୍ମାରକୀ ପୀଠକୁ ନେଇ ନୂଆ ଅଭିଯୋଗ । ଭୋଗରାଇ ବ୍ଲକର ଦୁଇ ବରପୁତ୍ର ଡ. ମନ୍ମଥ ନାଥ ଦାସ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମାରକୀ ପୀଠର ରଙ୍ଗ ବଦଳିଯାଇଛି । କେବଳ ରଙ୍ଗ ନୁହେଁ, ଫଳକରେ ଉଲ୍ଲେଖ ଥିବା ବିବରଣୀକୁ ବି ପରିବର୍ତନ କରାଯାଇଛି । ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।
ପ୍ରାୟ ୧୬ କୋଟି ଟଙ୍କା ବ୍ୟୟରେ ପୂର୍ବ ସରକାର ଡ. ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ବାସଗୃହର ପୁନରୁଦ୍ଧାର କରି ମନ୍ମଥ-ମନୋଜ ସ୍ମାରକୀ ପୀଠ କରାଇଥିଲେ। ଚଳିତବର୍ଷ ଫେବ୍ରୁଆରି ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମନ୍ମଥ-ମନୋଜ ସ୍ମାରକୀ’ର ଲୋକାର୍ପଣ କରିଥିଲେ । ଏହି ଅବସରରେ ସେଠାରେ ଏକ ସରକାରୀ ସୂଚନାଫଳକ ଲାଗିଥିଲା ଯାହାର ରଙ୍ଗ ସବୁଜ ଥିଲା । ‘ମନ୍ମଥ-ମନୋଜ ସ୍ମାରକୀ’ ବୋଲି ଲେଖାଯିବା ସହ ନିର୍ମାଣ ବାବଦରେ ତଥ୍ୟ ଉଲ୍ଲେଖ କରାଯାଇଥିଲା ।
ସେହିପରି ନବୀନ ପଟ୍ଟନାୟକଙ୍କ ଫଟୋ ମଧ୍ୟ ରହିଥିଲା । ବର୍ତ୍ତମାନ ଉକ୍ତ ସୂଚନାଫଳକକୁ ବଦଳାଇ ଦିଆଯାଇଛି। ରଙ୍ଗ ସବୁଜରୁ ଗେରୁଆ କରାଯାଇଛି ‘ମନ୍ମଥ-ମନୋଜ ସ୍ମାରକୀ’ ବଦଳରେ ‘ପଦ୍ମଭୂଷଣ ମନୋଜ ଦାସ ଏବଂ ପରିବାର ବାସଗୃହର ପୁନରୁଦ୍ଧାର ଓ ଉନ୍ନତୀକରଣ' ବୋଲି ଲେଖାଯାଇଛି । ଏହାସହିତ ପ୍ରକଳ୍ପକୁ ‘ସର୍ବସାଧାରଣଙ୍କ ଉପଯୋଗ ପାଇଁ ଉଦ୍ଦିଷ୍ଟ ରାସ୍ତା’ ବୋଲି ଉଲ୍ଲେଖ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଫଟୋ ମଧ୍ୟ ରହିଛି ।
ଏହି ନୂଆ ସୂଚନାଫଳକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳକକୁ ତୁରନ୍ତ ବଦଳାଇବା ପାଇଁ ଦାବି ହୋଇଛି । ମନ୍ମଥ-ମନୋଜ ଫାଉଣ୍ଡେସନ୍ର ସଦସ୍ୟମାନେ କହିଛନ୍ତି, ଫଳକରେ ‘ସର୍ବସାଧାରଣଙ୍କ ଉପଯୋଗ ପାଇଁ ଉଦ୍ଦିଷ୍ଟ ରାସ୍ତା’ ବଦଳରେ ‘ମନ୍ମଥ-ମନୋଜ ସ୍ମାରକୀ’ ବୋଲି ଲେଖାଯାଉ । ସ୍ମାରକୀ ବାବଦ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଉଛି । ଏହା ସହି ଡ. ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଫଟୋକୁ ସ୍ଥାନ ଦିଆଯାଉ ବୋଲି ଦାବି ହୋଇଛି ।