କନକ ବ୍ୟୁରୋ: କଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଆକ୍ରମଣକାରୀଙ୍କୁ ଗିରଫ କଲା ସ୍ଥାନୀୟ ପୁଲିସ । ରାଜଧାନୀ ବୋଗୋଟାରେ ଏକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ବେଳେ ମୁଗୁଏଲ ଉରିବେଙ୍କ ଉପରେ ଗୁଳିମାଡ଼ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉରିବେଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି, ଆବଶ୍ୟକ ହେଲେ, ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରୀଦଳ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଜନସାଧାରଣଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରଚାର କରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଛନ୍ତି ମୁଗୁଏଲ ଉରିବେ । ସ୍ଥାନୀୟ ପୁଲିସ ପକ୍ଷରୁ ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଗିରଫ କରାଯାଇଛି । 

Advertisment

ଗୁଳିମାଡ଼ ପରେ ତାଙ୍କ ସୁରକ୍ଷାକର୍ମୀମାନେ ଦୁର୍ବୃତ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଆରମ୍ଭ ହେଲା । ଏହି ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ରିପୋର୍ଟ ଆସୁଛି । ଗୁଳିମାଡ଼ ପରେ ଉରିବେଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ମୁଗୁଏଲ ଉରିବେଙ୍କ ମୁଣ୍ଡରେ ଓ ଡାହାଣ ହାତରେ ଗୁଳି ବାଜିଛି ।  

ଗୁଳିମାଡ଼ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉରିବେଙ୍କୁ ଦୁଇଜଣ ସୁରକ୍ଷାକର୍ମୀ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣେ ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଜଣେ ଦୁର୍ବୃତ୍ତଙ୍କଠାରୁ ଉରିବେଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା ।