କନକ ବ୍ୟୁରୋ: ମଦ୍ୟପ ଅଧ୍ୟାପକଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ କଲେଜ ଛାତ୍ରଛାତ୍ରୀ। ୩ କିଲୋମିଟର ବାଟ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଅଭିଯୋଗ କରିଛନ୍ତି। ପ୍ରଫେସର ଅଛନ୍ତି କିନ୍ତୁ କ୍ଲାସ କରୁନାହାନ୍ତି। ଏପରିକି ସବୁ ସମୟରେ ନିଶାରେ ଚୁର୍ ହୋଇ ରହୁଥିବାରୁ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଅଧ୍ୟାପକ ଥାଇ ମଧ୍ୟ କ୍ଲାସକୁ ଯାଉନାହାନ୍ତି। ତା ସହ ନିଶାରେ ଚୁର୍ ହୋଇ ରହୁଥିବାରୁ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ନରସିଂହ ଚୌଧୁରୀ କଲେଜର ସମାଜ ଶାସ୍ତ୍ର ବିଭାଗର ଏଚଓଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀରାମ ମହାର ଚାକିରି ଦିନ ଠାରୁ କଲେଜ ଆସୁନାହାନ୍ତି। କ୍ଲାସ ନକରି ଅନ୍ୟ କାର୍ଯ୍ୟରେ ରହୁଥିବାର ପିଲାମାନେ ଅଭିଯୋଗ କରିଛନ୍ତି। ପିଲାମାନେ ତାଙ୍କ ଘରେ କାର୍ଯ୍ୟ କଲେ ମାର୍କ ଦେଉଥିବା ବେଳେ ତାଙ୍କ କଥା ଅରାଜି ହେଲେ ମାର୍କ କାଟି ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି। ଫଳରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ୩ କିଲୋମିଟର ବାଟ ପାଦରେ ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାରେ ଏଡିଏମଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଜଗତସିଂହପୁର ଜିଲ୍ଲା ରେଢୁଆ ଗାଁ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । କଲେଜରେ ଯୁକ୍ତ ୩ ବିଜ୍ଞାନ ଖୋଲିବା ଦାବିରେ ଚାଲିଛି ଧାରଣା। ରେଢୁଆ ଆଞ୍ଚଳିକ ବିକାଶ ପରିଷଦ ସହାୟତାରେ ଗତ ୧୧ ତାରିଖରୁ ଛାତ୍ରଛାତ୍ରୀ ମାନେ କ୍ଲାସରୁମ୍ ଛାଡି କଲେଜ ଆଗରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ବୁଝାସୁଝା କରିବା ପରେ ମଧ୍ୟ କୌଣସି ନିର୍ଯାସ ବାହାରି ନଥିଲା। ଫଳରେ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା କରି ଆନ୍ଦୋଳନରେ ସାମିଲ ହେବାପାଇଁ ସବୁ ବର୍ଗର ସ୍ଥାନୀୟ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଅନ୍ୟପଟେ ଯେ ପର୍ଯ୍ୟନ୍ତ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର କଲେଜରେ ଯୁକ୍ତ ୩ ବିଜ୍ଞାନ ଖୋଲା ନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଓ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ।