କନକ ବ୍ୟୁରୋ: ନିଶା ମାଫିଆଙ୍କ ଫୋକସରେ ରହିଛି ବଡ ବଡ ଶିକ୍ଷାନୁଷ୍ଠାନ । ଯୁବାବର୍ଗଙ୍କୁ ନିଶାର ଜାଲରେ ଫସାଇ ଡ୍ରଗ୍ସ କାରବାର ବଢାଇବାକୁ କରୁଛନ୍ତି ଯୋଜନା । ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ପାଖରେ ଡ୍ରଗ୍ସ ଡିଲ ଯୋଜନାକୁ ଅବକାରୀ ବିଭାଗ ପଣ୍ଡ କରିବା ପରେ ସାମ୍ନାକୁ ଆସିଛି ଅନେକ ନୂଆ ଘଟଣା ।
ବାଂଲାଦେଶରୁ ଓଡ଼ିଶା ଭାୟା ବାଲେଶ୍ୱର । ଆଉ ତାପରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିଯାଉଛି ଡ୍ରଗ୍ସ । ବ୍ରାଉନସୁଗର ଭଳି ଏବେ ରାଜ୍ୟରେ ହେରୋଇନର କାରବାର ବଢିଲାଣି । ପୂର୍ବରୁ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ନିଶା ମାଫିଆ । ଆଉ ଏବେ ସରକାରୀ ବିଶ୍ୱବିଦ୍ୟାଳୟରେ ଧସେଇ ପସିଲେଣି ଡ୍ରଗ୍ସ ପେଡଲର । ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରୀ ପାଖ ଶିବ ମନ୍ଦିର ନିକଟରେ ହେରୋଇନ ବିକ୍ରି ଉଦ୍ୟମ କରୁଥିଲେ ଦୁଇ ଯୁବକ । ଅବକାରୀ ବିଭାଗର ଅଧିକାରୀ ସୌରଭ କୁମାର ଟୁଡୁ ଓ ଭବାନୀଶଙ୍କର ଗୋଚ୍ଛାୟତ ତାଙ୍କୁ କାବୁ କରିବା ସହ ତାଙ୍କଠାରୁ ୮୦ ଗ୍ରାମ ହେରୋଇନ ଜବତ କରିଛି । ଏହି ଘଟଣା ପରେ ଚିନ୍ତାରେ ପଡିଯାଇଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କର ଅବାଧ ପ୍ରବେଶ ରୋକିବାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ବାରମ୍ବାର ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଖୋଲା ପଡିଛି। କିଏ ଆସୁଛି କିଏ ଯାଉଛି ତାହାର ହିସାବ ନାହିଁ । ଫାଟକ ପଛ ପଟେ ସିକ୍ୟୁରିଟି ଗାର୍ଡ ଅଛନ୍ତି ସତ କିନ୍ତୁ କେବଳ ଛିଡା ହୋଇ ନିଜ ଦାୟିତ୍ୱ ସାରି ଦେଉଛନ୍ତି । ନିଶା ମାଫିଆ ବି ଯଦି କ୍ୟାମ୍ପସ ଭିତରେ ପଶିବେ ସେହି ଖବର ବି କାହାରି ପାଖରେ ନଥିବ ।
କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ନୁହେଁ ରାଜ୍ୟର ପ୍ରାୟ ସବୁ ଅଂଚଳରେ ନିଶା ମାଫିଆଙ୍କ ନଜରରେ ରହିଛି ଶିକ୍ଷାନୁଷ୍ଠାନ । ଯାହାକୁ ରୋକିବା ପୁଲିସ ପ୍ରଶାସନ ବଡ ଚ୍ୟାଲେଞ୍ଜ।