କନକ ବ୍ୟୁରୋ: ଛାତ୍ରୀଙ୍କୁ ଯୌନ ନିର୍ଯାତନାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଏପରି ସମୟରେ କଟକ ଆଠଗଡ଼ରୁ ଆସିଛି ସାଂଘାତିକ ଅଭିଯୋଗ । କଲେଜ ଅଧ୍ୟକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅଧ୍ୟାପିକା । କଟକ ଜିଲ୍ଲା ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟଙ୍କ ନାଁରେ ଆସିଛି ଏହି ସଙ୍ଗିନ ଅଭିଯୋଗ । ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପୁଲିସ ଡିଜିଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି ଅଧ୍ୟାପିକା । ଅଧ୍ୟକ୍ଷ ଜଣକ ଅସ୍ୱାଭାବିକ ଭାବେ ଅଧ୍ୟାପିକାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ । ଏହାର ବିରୋଧ କରିବାରୁ କଲେଜ ଅଧ୍ୟକ୍ଷ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଠଗଡ଼ ଗୁରୁଡି ଝାଟିଆ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସରେ ଅଭିଯୋଗ ହେବା ପରେ ପୀଡ଼ିତା ଅଧ୍ୟାପିକାଙ୍କୁ ଭଡ଼ାଟିଆ ଗୁଣ୍ଡା ଲଗାଇ ଦୁଷ୍କର୍ମ କରାଇବାକୁ କଲେଜ ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏବେ ଡିଜିଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି ପୀଡ଼ିତା ଅଧ୍ୟାପିକା। ଏଫ୍ଏମ୍‌ କଲେଜ ଅଘଟଣ ପରେ ମହାବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ହେଲେ ଆଠଗଡ଼ ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟରୁ ଅଭିଯୋଗ ଆସିବା ପରେ ସ୍ପଷ୍ଟ ହୋଇଛି ମହାବିଦ୍ୟାଳୟରେ କେବଳ ଛାତ୍ରୀ ନୁହଁନ୍ତି ଅଧ୍ୟାପିକା ମଧ୍ୟ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ।