କନକ ବ୍ୟୁରୋ : ପାଖାପାଖି ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ହେଲାଣି କ୍ୟାମ୍ପସ । କଲେଜ ଗୁଡ଼ିକରେ ଡେରା ପକାଇଲେଣି ଛାତ୍ର ନେତା । ନିଜ ନିଜର ପତିଆରା ଜାହିର କରିବା ପାଇଁ ଆରମ୍ଭ କରିଦେଲେଣି କସରତ । କିନ୍ତୁ ତା’ ପୂର୍ବରୁ ଯେଉଁ ଦୃଶ୍ୟ ଆସିଛି, ତାହା ଚିନ୍ତାଜନକ । ନଜର ପକାନ୍ତୁ, ଦୁଇ ଦିନରେ ଘଟିଥିବା ଦୁଇଟି ଘଟଣା ଉପରେ । ସୋମବାର ଜଗତସିଂହପୁରର ଏସଭିଏମ୍ କଲେଜରେ ଦୁଇଛାତ୍ର ଗୋଷ୍ଠୀ ପାଇଁ ପୂରା କଲେଜ କ୍ୟାମ୍ପସ ରକ୍ତରଞ୍ଜିତ ହୋଇଥିଲା । ଉଭୟ ଗୋଷ୍ଠୀର କିଛି ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେହିପରି ମଙ୍ଗଳବାର ରାତିରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶକୁ ନେଇ ଦୁଇଗୋଷ୍ଠୀ ବଚସା ଓ ପରେ ମାରପିଟ୍ ଯୋଗୁଁ ୨ ଜଣ ଆହତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।
ଯଦିଓ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ କିନ୍ତୁ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ଛାତ୍ର ନେତା ଏବେଠୁ ମାଳ ମାଳ ପ୍ରସଙ୍ଗ ଧରି ମଇଦାନକୁ ଓହ୍ଲାଇଛନ୍ତି । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରିବ ଛାତ୍ର ବିଜେଡି ଓ କଂଗ୍ରେସ। ସେହିଭଳି ଭାବେ ଏବିଭିପି ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ମୁଦ୍ଦାକୁ ନେଇ ବିରୋଧୀଙ୍କୁ ଘେରିବାକୁ ସଜବାଜ ହେଉଛି । ବିଶେଷକରି ବାଲେଶ୍ବର ଘଟଣାରେ ଦୁଇ ଏବିଭିପି ଛାତ୍ର ଗିରଫ ପରେ ବ୍ୟାକଫୁଟ୍ରେ ଅଛି ଏହି ଛାତ୍ର ସଂଗଠନ। ଏପଟେ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ବି କଲେଜରେ ଖୋଲିଛି ହେଲ୍ପ ଡେସ୍କ । ନୂଆ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ରାଜନୈତିକ ଛାତ୍ର ଗୋଷ୍ଠୀ ପ୍ରୟାସ ଆରମ୍ଭ କରିଛନ୍ତି । ବିବାଦ ଭିତରେ କଲେଜ ନିର୍ବାଚନ ହେବ କି ନାହିଁ ସନ୍ଦେହ ଘେରରେ। କ୍ୟାମ୍ପସର ଶୈକ୍ଷିକ ବାତାବରଣ ଖରାପ ହେବାରେ ଲାଗିଛି । ଆଗକୁ ଯଦି ନିର୍ବାଚନ ହୁଏ ତା’ହେଲେ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
ଆସୁଛି କଲେଜ ନିର୍ବାଚନ : ରକ୍ତରଞ୍ଜିତ ହେଉଛି କ୍ୟାମ୍ପସ
ସୋମବାର ଜଗତସିଂହପୁରର ଏସଭିଏମ୍ କଲେଜରେ ଦୁଇଛାତ୍ର ଗୋଷ୍ଠୀ ପାଇଁ ପୂରା କଲେଜ କ୍ୟାମ୍ପସ ରକ୍ତରଞ୍ଜିତ ହୋଇଥିଲା । ଉଭୟ ଗୋଷ୍ଠୀର କିଛି ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
/kanak/media/media_files/2025/08/06/college-2025-08-06-20-07-24.jpg)