କନକ ବ୍ୟୁରୋ: କଲେଜ ଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ହେଉ ଅବା ଯୁକ୍ତ ତିନି ସବୁଠି ସମାନ ସ୍ଥିତି । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଏବେ ପ୍ଲସ-ଟୁ'ରେ ୨ ଲକ୍ଷରୁ ଅଧିକ ସିଟ ଖାଲି ପଡ଼ିଛି । ସେହିପରି ଯୁକ୍ତ ୩ରେ ଖାଲି ରହିଛି ପ୍ରାୟ ୯୯ ହଜାର ସିଟ୍ । ସୋମବାର ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ।
କଲେଜ୍ ଶିକ୍ଷାରୁ ମୁଁହ ଫେରାଉଛନ୍ତି ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ଓ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯୁକ୍ତ ତିନି ପାଇଁ ମୋଟ ୨ ଲକ୍ଷ ୭୭ ହଜାର ୩୮୯ ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୮ ହଜାର ୧୭୭ ପିଲା ନାମ ଲେଖାଇଛନ୍ତି । ଆହୁରି ୯୯ ହଜାରରୁ ଅଧିକ ସିଟ୍ ଖାଲି ପଡ଼ିଛି । ସେହିଭଳି ଯୁକ୍ତ ଦୁଇରେ ସମୁଦାୟ ୫ଲକ୍ଷ ୯୨ହଜାର ୧୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୫୮ ହଜାର ୫୮୧ ସିଟ୍ ପୂରଣ ହୋଇଛି । ଆହୁରି ୨ ଲକ୍ଷରୁ ଅଧିକ ସିଟ୍ ଖାଲି ରହିଛି । ଏପରି ସ୍ଥିତିରେ ସୋମବାରଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା । ବିଶେଷ କରି ଛାତ୍ରଛାତ୍ରୀ କଲେଜ ପାଠ୍ୟକ୍ରମ ବଦଳରେ ଆଇଟି, ଡିପ୍ଲୋମା, ଆଇଆଇଟି ଶିକ୍ଷା ପ୍ରତି ଅଧିକ ଆଗ୍ରହ ଦେଖାଉ ଥିବାରୁ ସିଟ ଖାଲି ପଡୁଥିବା କହିଛନ୍ତି ଅଭିଭାବକ ।
- ଶିକ୍ଷା ବ୍ୟବସ୍ଥା ଉପରୁ ବିଶ୍ୱାସ ହରାଉଛନ୍ତି ଅଭିଭାବକ
- କେଉଁଠି ଅଧ୍ୟକ୍ଷ ନାହାଁନ୍ତି ତ, କେଉଁଠି ଅଧ୍ୟାପକଙ୍କ ଅଭାବ
କଲେଜ ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ପଛରେ ଅନେକ କାରଣ ରହିଛି । ତେବେ ମୁଖ୍ୟ କାରଣ ହେଲା.
- ଯେତିକି ପିଲା ପାସ କରୁଛନ୍ତି ତାର ଦେଢ଼ ଗୁଣା ସିଟ୍ ରହିଛି
- ସରକାରୀ କଲେଜରେ ନାହାନ୍ତି ସ୍ଥାୟୀ ଅଧ୍ୟାପକ
- ପ୍ରାୟ ୧୦ ବର୍ଷ ହେଲା କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ
- ନା ଅଛି ଅନୁଶାସନ, ନା ରହୁଛି କୌଣସି ନିୟମକାନୁନ
ଫଳରେ ଶିକ୍ଷାବ୍ୟବସ୍ଥା ଉପରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଭରସା ତୁଟୁଛି ବୋଲି କହିଛନ୍ତି ଶିକ୍ଷାବିତ୍ । ଗୋଟେ ପଟେ କଲେଜରେ ସିଟ ବୃଦ୍ଧି କରାଯାଉଛି । ଅନ୍ୟଅଟେ ନାମଲେଖା ପରେ ବି ଖାଲି ପଡୁଛି ସିଟ୍ । ଏଭଳି ସ୍ଥିତିରେ କେମିତି ସୁଦୃଢ଼ ହେବ ଶିକ୍ଷାବ୍ୟବସ୍ଥା ତାକୁ ନେଇ ଉଠିଛି ପ୍ରଶ୍ନ ।