କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଖରା । ଆଉ ଏହି ସମୟରେ କୋଲ୍ଡ ଡ୍ରିଙ୍କସ୍ ପିଇବା ପାଇଁ ବଢୁଛି ଚାହିଦା । ପିଲାଠୁ ବୟସ୍କ ଯାଏଁ ଏବେ ଅନେକଙ୍କ ହାତରେ କୋଲ୍ଡ ଡ୍ରିଙ୍କ୍ସର ବୋତଲ । ଖରା ଦିନରେ ଥଣ୍ଡା ଥଣ୍ଡା କୋଲ୍ଡ ଡ୍ରିଙ୍କ୍ସ କାହାକୁ ବା ଭଲ ନ ଲାଗେ । ମିଠା ଆଉ ଥଣ୍ଡାର ଏହି କମ୍ବିନେସନ୍ ସଙ୍ଗେ ସଙ୍ଗେ ଶରୀରକୁ ରିଲାକ୍ସ କରିଦିଏ । ଶୋଷ ମେଣ୍ଟାଇବା ପାଇଁ ଆପଣ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି ସତ କିନ୍ତୁ କେବେ ଚିନ୍ତା କରିଛନ୍ତି କି,ଏହି ମୃଦୁ ପାନୀୟ ଶରୀର ପାଇଁ କେତେ କ୍ଷତିକାରକ ? ଯେଉଁଥିପାଇଁ କି ସ୍ୱାସ୍ଥ୍ୟ ବିଷେଷଜ୍ଞମାନେ ସବୁବେଳେ କୋଲ୍ଡ ଡ୍ରିଙ୍କ୍ସଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏଥିରେ ଥିବା ସୁଗାର,କଫିନ୍ ଆଉ ଏସିଡ଼ିକ୍ ତତ୍ତ୍ୱ ଅନେକ ରୋଗର କାରଣ ।
ନ୍ୟାସନାଲ୍ ପ୍ରୋଗ୍ରାମ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍ ଆଣ୍ଡ୍ ହ୍ୟୁମାନ୍ ହେଲ୍ଥ (NPCCHL) କୋଲ୍ଡ ଡ୍ରିଙ୍କ୍ସକୁ ନେଇ ଚେତାବନୀ ଜାରି କରିଛି । ଏହା ବ୍ୟତୀତ ପ୍ରବଳ ଖରା ବା ଗରମରେ ଚା ଏବଂ କଫିକୁ ଅଣଦେଖା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଧିକ ଗରମ ଲାଗିବା ସମୟରେ କାର୍ବୋନେଟେଡ୍ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଶରୀରରୁ ଅଧିକ ଝାଳ ବାହାରେ । ଯାହାକି ଶରୀରର ୱାଟର ଲେବଲ୍କୁ କମ୍ କରେ ।
ଏହି ମୃଦୁ ପାନୀୟରେ ଅଧିକ ପରିମାଣର କଫିନ୍ ଏବଂ ଚିନି ଥାଏ ,ଯାହାକି ଡିହାଇଡ୍ରେସନ୍ର ମୁଖ୍ୟ କାରଣ । ଅଧିକ ମୃଦୁ ପାନୀୟ ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ଦୁର୍ବଳତାର ଆଉ ଏକ କାରଣ । ଯଦି କେହି ପେଟ ସମସ୍ୟା ବା ଆସିଡ଼ିଟିରେ ପୀଡିତ ତେବେ ସେମାନେ କୋଲ୍ଡ ଡ୍ରିଙ୍କ୍ସଠୁ ଦୂରେଇ ରହିବା ନିହାତି ଆବଶ୍ୟକ ।
ଏହି ମୃଦୁ ପାନୀୟ ଅନେକ ସାଙ୍ଘାତିକ ରୋଗର କାରଣ । ଅତ୍ୟାଧିକ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା…
- ପେଟରେ ଚର୍ବି ବଢ଼େ
- ମଧୁମେହ ରୋଗ ହେବା ଆଶଙ୍କା ବଢ଼ିଥାଏ
- ଉଚ୍ଚ ରକ୍ତଚାପ ରୋଗୀଙ୍କର ରକ୍ତଚାପ ବୃଦ୍ଧି ପାଏ
- ଇନ୍ସୁଲିନ୍ ସନ୍ତୁଳନ ବଗିଡ଼ିଯାଏ
- ହୃଦରୋଗୀଙ୍କ କୋଲେଷ୍ଟ୍ରୋଲ ଏବଂ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ
- ସହଜରେ ମୋଟାପଣର ଶିକାର ହୋଇଥାନ୍ତି
ତେବେ ଜାଣି ଜାଣି ଏହି ସବୁ ରୋଗକୁ ଶରୀରକୁ ନିମନ୍ତ୍ରଣ କରନ୍ତୁ ନାହିଁ । ଶୋଷ ମେଣ୍ଟାଇବା ପାଇଁ ଘରେ ଦହି ସର୍ବତ କିମ୍ବା ଲେମ୍ବୁ ପାଣି ପିଇବା ସହ ବଜାରରେ ମିଳୁଥିବା ମୃଦୁ ପାନୀୟରୁ ଦୂରେଇ ରୁହନ୍ତୁ ।