କନକ ବ୍ୟୁରୋ : ସୁନ୍ଦରଗଡ ତେଲେନଡିହି ଖଣି ଚୋରି ମାମଲା । ତଦନ୍ତ ପାଇଁ ନୋଟିସ୍ ଜାରି କଲେ ସୁନ୍ଦରଗଡ ଜିଲ୍ଲାପାଳ । ଉପଜିଲ୍ଲାପାଳ ଓ ଡେପୁଟି ଡାଇରେକ୍ଟରଙ୍କୁ ଦିଆଯାଇଛି ନୋଟିସ୍ । ହେମଗିରି ତହସିଲଦାରଙ୍କୁ ବି ତଦନ୍ତ ପାଇଁ ନୋଟିସ୍ ଦିଆଯାଇଛି । ଏହା ସହ ୩ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସବୁ କୋଲ ୱାସେରି ଓ ଡିପୋ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । 

Advertisment

ସେପଟେ, ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ କନକ ନ୍ୟୁଜ୍‌ । ଜଙ୍ଗଲ ନାଳ ଡେଇଁ ମାଫିଆଙ୍କ ଠିକଣାରେ ପହଞ୍ଚିଛନ୍ତି ଆମ ପ୍ରତିନିଧି । ସାରା ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାର ଖଣି ଚୋରି ଚହଳ ପକାଇ ଦେଇଛି । ଏହି ଚୋରା ଖଣିରେ ସାମିଲ ଥିବା ସରକାରୀ ବାବୁ, କୋଇଲା ଚୋରି କରୁଥିବା ମାଫିଆ ଓ ତାଙ୍କୁ ସୁରକ୍ଷା ଦେଉଥିବା ରାଜନେତାଙ୍କ ଛାତି ଥରହର ହେବାକୁ ବସିଲାଣି । ମାମଲା ଥାନାରୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ସାରିଲାଣି । ହେଲେ କବେଳ ହେମଗିରି ତେଲେନଡିହି ଜଙ୍ଗଲରେ ସରିଯାଇ ନାହିଁ କଳାହୀରାର କଳା ସାମ୍ରାଜ୍ୟ । ଏ ଚେର ବହୁତ ଲମ୍ବା । ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର । କଳାହୀରାର କଳା ସାମ୍ରାଜ୍ୟ । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ରତନସରା ଗାଁ ରେ ଚାଲିଛି କଣ? କେମିତି ଚୋରା ଖଣି ଓ ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ । କନକ ନିଜ୍ୟୁରେ ବାରମ୍ବାର ଖବର ପ୍ରସାରଣ ପରେ ଲୋକ ଦେଖାଣିଆ ଭାବେ ପ୍ରଶାସନ, ପୋଲିସ, ବନବିଭାଗ ଓ ଖଣି ବିଭାଗ ଜଙ୍ଗଲରେ ପହଚିଂ କିଛି ଛୋଟ ଛୋଟ ଖଣିରେ ଚଢାଉ କରି ମାତ୍ର ୧୫୦ଟନ୍ କୋଇଲା ଜବତ କରି ଚୁପ୍ ବସି ରହିଛି । ହେଲେ ଆଜି ଆମେ ଦେଖାଉଛୁ ଯେ କେବଳ ତେଲେନଡିହି ଜଙ୍ଗଲ ନୁହଁ ଏହାଠାରୁ ୧୦ କିଲୋମିଟର ଦୂର ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି । ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚର୍ତୁଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତୋଳନ କରି ଚୋରା ଚାଲାଣ କରାଯାଉଛି । ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମ୍‌ଖୁଲ୍ଲା ବିକ୍ରି କରି ଟଙ୍କା ନିଜ ପକେଟ୍‌କୁ ନେଇଛନ୍ତି । ଯାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।