କନକବ୍ୟୁରୋ : ପରିବାର ପ୍ରତିପୋଷଣ ପାଇଁ ବାପା ପୁଅ ଡଙ୍ଗା ନେଇ ନଦୀକୁ ମାଛ ଧରିବାକୁ ଯାଇଥିଲେ । ହଠାତ ବଜ୍ରପାତ ଘଟିଲା । ଆଉ ବାପାଙ୍କ ଜୀବନ ଚାଲିଗଲା । ପୁଅଙ୍କର ଖୋଜଖବର ନାହିଁ । ସମୁଦ୍ରରେ ଖୋଜାଖୋଜି କରୁଛନ୍ତି ଗ୍ରାମବାସୀ । 

Advertisment

ସେଦିନ ଥାଏ ଶନିବାର ।  ସବୁଦିନ ଭଳି ସେଦିନ ବି ମାଛ ଧରିବାକୁ ନଦୀକୁ ବାହାରି ଯାଇଥିଲେ ବାପା ପୁଅ। ଭାବିଥିଲେ, ଜାଲରେ ମାଛ ପଡ଼ିବ। ଆଉ ରବିବାର ତାକୁ ବିକି ଦୁଇ ପଇସା ରୋଜଗାର କରିବେ ।  ହେଲେ ଦଇବର ନିର୍ଦ୍ଦେଶ କିଛି ଭିନ୍ନ ଥିଲା ।  ବାପା-ନାବାଳକ ପୁଅ ଦୁହେଁ ନଦୀକୁ ଗଲେ, ହେଲେ ଆଉ ଫେରିଲେ ନାହିଁ  ।  ନଈକୂଳ ରେ ଡଙ୍ଗା ଲାଗିଲା, ସେଥିରେ ବାପାଙ୍କ ମୃତଦେହ ପଡ଼ି ରହିଥିବା ବେଳେ ପୁଅ ନାହିଁ । 

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ଗାଁର ମତ୍ସ୍ୟଜୀବୀ ବିଜୟ ପରିଡ଼ା ଓ ତାଙ୍କର ୧୭ ବର୍ଷର ନାବାଳକ ପୁଅ ମାନସ ପରିଡ଼ା । ବରୁଣେଇ ନଦୀରେ ମାଛ ଧରୁଥିବା ବେଳେ ଡଙ୍ଗା  ଉପରେ ବଜ୍ରପାତ ହେବାରୁ ବାପାଙ୍କର ମୃତ୍ୟୁ!  ହୋଇଛି। ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି । ମୃତ ବିଜୟଙ୍କ ଶରୀର ପୋଡ଼ି ଯାଇଛି । ସେପଟେ ପୁଅର ପତ୍ତା ମିଳୁନି ।  ବନବିଭାଗ, ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ, ସ୍ଥାନୀୟ ବାସିନ୍ଦା ଖୋଜାଖୋଜି ଜାରି ରଖିଛନ୍ତି । 

ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର  ।  କାହାର ଆଖିରୁ ଶୁଖୁନି ଲୁହ ।  ପୂରା ଗାଁ ଏହି ଘଟଣାକୁ ନେଇ ସ୍ତବ୍ଧ। ବଜ୍ରପାତରେ ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ନେଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।