କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଖଣି ଚୋରି ଘଟଣାରେ ଡିଡିଏମଙ୍କୁ ରିପୋର୍ଟ ତଲବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରିପୋର୍ଟ ତଲବ କରିଛନ୍ତି ଖଣି ନିର୍ଦ୍ଦେଶକ ରୋହିତ ଲେଙ୍କା । ରିପୋର୍ଟ ମିଳିବା ପରେ ସରକାର ପଦକ୍ଷେପ ନେବେ । ସୁନ୍ଦରଗଡ଼ ଜିଲ୍ଲାରେ କଳାହୀରାର କଳା ସାମ୍ରାଜ୍ୟ ବର୍ଷ ବର୍ଷ ଧରି ଚାଲିଛି । ତେଲେନଡିହି ପରେ ରତନସରାରେ ମଧ୍ୟ ଚଢ଼ାଉ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ, ହେମଗିରି ତହସିଲଦାର ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ାଉ କରାଯାଇଛି । କନକ ନ୍ୟୁଜ୍ରେ ଅପରେସନ୍ କଳାହୀରା ଖବର ପ୍ରସାରଣ ପରେ ତେଜିଛି ଜିଲ୍ଲା ପ୍ରଶାସନ । ଆଜି କନକ ନ୍ୟୁଜ୍ର ଅପରେସନ ପାର୍ଟ-୨ ପରେ ପୁଣି ଆକ୍ସନ ମୋଡ୍ରେ ପ୍ରଶାସନ । ଆମେ ଦେଖାଇଥିବା ରତନସରାରେ ଚଢ଼ାଉ କରିଛି ମିଳିତ ସ୍କ୍ୱାଡ୍ । ଉପଜିଲ୍ଲାପାଳ, ପୋଲିସ ଓ ତହସିଲ ଟିମ୍ ମିଳିତ ଭାବରେ ଚଢ଼ାଉ କରିଛନ୍ତି । ରତନସରାରେ ବି ୧୦ରୁ ଅଧିକ ଖଣିରେ ଚଢ଼ାଉ କଲା ଟିମ୍ । ବିପୁଳ ଚୋରା କୋଇଲା ଜବତ ହୋଇଛି । କଳା ହୀରା କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ ଚିଠି କରି ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେଲେନଡିହିର ବିଶାଳ ଚୋରା ମାଇନ୍ସରୁ କୋଇଲା ଚାଲାଣ ହେଉଥିଲା । କୋଲ୍ ୱାସେରି ଓ କୋଲ୍ ଡିପୋଗୁଡ଼ିକୁ ଚୋରା କୋଇଲା ଯାଉଥିବା ସନ୍ଦେହ କରାଯାଉଛି। ଅଞ୍ଚଳର ସମସ୍ତ କୋଲ୍ ୱାସେରି ଓ କୋଲ୍ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ୍ର ହିସାବ ନେବା ପାଇଁ ଚିଠିରେ ନିର୍ଦେଶ ହୋଇଛି । ଯଦି ହିସାବରୁ ବେଶି କୋଇଲା ବାହାରିଲା ସେଠାରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସେପଟେ ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ ପହଞ୍ଚିଥିଲା କନକ ନ୍ୟୁଜ୍ । ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି । ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚର୍ତୁଭୁଜ ନାଳ କଡ଼େ କଡ଼େ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି। ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି । ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମ୍ଖୁଲ୍ଲା ବିକ୍ରି କରି ଟଙ୍କା ନିଜ ପକେଟ୍କୁ ନେଇଛନ୍ତି ।
ଖଣି ଚୋରି ପଛରେ କିଏ ?
ରତନସରା ଗାଁରେ ଚାଲିଛି କ’ଣ ?
କେମିତି ଚୋରା ଖଣି ଓ ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ ?
ଶହ ଶହ କୋଇଲା ଖଣି ଚୋରି କାହା ଇଙ୍ଗିତରେ ହେଉଥିଲା ?
ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କର ବି ରହିଛି କି ହାତ ?
ପ୍ରଶାସନ ନାକ ତଳେ ଶହ ଶହ କୋଟିର କୋଇଲା ଚୋରି କେମିତି ହେଲା ?
ପ୍ରଶାସନ ସବୁ ଜାଣି ବି କାହିଁକି ଥିଲା ଚୁପ୍ ?
ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ ତ କଡ଼ା କାର୍ଯ୍ୟାନୁଷ୍ଠାନ ତ ?
ଏତଲା କେବଳ ଗଣମାଧ୍ୟମର ମୁହଁ ବନ୍ଦ ପାଇଁ ନାଁକୁ ମାତ୍ର ନୁହେଁ ତ ?
କେବେ ଉତ୍ତର ରଖିବେ ଖଣି ମନ୍ତ୍ରୀ ?
କୋଟି କୋଟି ରାଜସ୍ବ ହାନୀର ଭରଣ କେମିତି କରିବେ ସରକାର ?
ମୁଖ୍ୟମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେବେ ଦେବେ ନିର୍ଦ୍ଦେଶ ?