କନକ ବ୍ୟୁରୋ :  ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳରେ ସବୁ ସୀମା ଟପିଛନ୍ତି ମାଙ୍ଗାନିଜ୍ ମାଫିଆ । ଗତ ୨ ଦଶନ୍ଧି ଧରି ବେଆଇନ୍ ଓ ବେଧଡକ୍ ଭାବେ ଏଠାରୁ ମାଙ୍ଗାନିଜ୍ ଚୋରା ଚାଲାଣ ଚାଲିଛି । ବର୍ଷ ବର୍ଷ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇଆସୁଥିଲା । ଶେଷରେ ରାଜ୍ୟ ସରକାର ଗଠନ କରିଥିବା ସ୍ବତନ୍ତ୍ର ୯ ଜଣିଆ ଏନଫୋର୍ସମେଣ୍ଟ ଟିମ୍ ଉତ୍ତୋଳନ ହେଉଥିବା ସ୍ଥାନକୁ ଯାଇ ସରଜମିନ୍ ତଦନ୍ତ କରିଛନ୍ତି । କନକ ନ୍ୟୁଜ୍ ଏନେଇ ବାରମ୍ବାର ଖବର ପ୍ରସାରଣ କରିଆସିଛି । 

Advertisment

ଖଣି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା । ମାଫିଆମାନେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବେଆଇନ୍ ଭାବେ କରୁଛନ୍ତି ଚୋରା ଚାଲାଣ । ଲୁଟି ନେଉଛନ୍ତି ଟନ୍ ଟନ୍ ମାଙ୍ଗାନିଜ୍ । ପଡୋଶୀ ଜିଲ୍ଲା କେନ୍ଦୁଝର, ଦେବଗଡ଼, ଏପରିକି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ କରୁଛନ୍ତି ଚୋରା ଚାଲାଣ । ଗତ ୨ ଦଶନ୍ଧି ଧରି କୋଇଡ଼ା ଅଞ୍ଚଳରେ କଳାହୀରାର କଳା କାରବାର ଚଳାଇ ଆସୁଛନ୍ତି ମାଫିଆ । ଅଞ୍ଚଳବାସୀ ଏ ସମ୍ପର୍କରେ ବର୍ଷ ବର୍ଷ ଧରି ଅଭିଯୋଗ କରୁଥିଲେ ମଧ୍ୟ ମାଫିଆମାନେ ଖାତିର କରୁନଥିଲେ । କିନ୍ତୁ କନକ ନ୍ୟୁଜ୍ ବାରମ୍ବାର ଗ୍ରାଉଣ୍ଡ ଜିରୋରୁ ଖବର ପ୍ରସାରଣ କରିବା ପରେ ଚେଇଁ ଉଠିଛନ୍ତି ସରକାର । ୯ ଜଣିଆ ଏନଫୋର୍ସମେଣ୍ଟ ଟିମ୍ ଆଜି ଦିନ ତମାମ୍ ମାଙ୍ଗାନିଜ୍ ଚୋରା ଚାଲାଣ ହେଉଥିବା ଅଞ୍ଚଳକୁ ଆସିଥିଲେ । ସବୁ ସ୍ଥାନ ବୁଲି ସବୁ ଦିଗରୁ ତନତନ କରି ତଦନ୍ତ କରିବା ସହିତ କେତେ ଟନ୍ ମାଙ୍ଗାନିଜ୍ ଚୋରା ଚାଲାଣ ହୋଇଛି, ତାହା ଆକଳନ କରିଛନ୍ତି । 

ଦୀର୍ଘ ବର୍ଷ ହେବ ମାଙ୍ଗାନିଜ୍ ଚୋରା ଚାଲାଣର ହବ୍ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳ । ମାଙ୍ଗାନିଜର ବଜାର ମୂଲ୍ୟ ବହୁତ ଅଧିକ ଥିବାରୁ ସ୍ଥାନୀୟ ଲୋକ ଏବଂ ପ୍ରଶାସନିକ ଅଧିକାରୀଙ୍କ ମିଳିତ ସହଯୋଗରେ ଲୁଟିବାରେ ସକ୍ଷମ ହେଉଛନ୍ତି ମାଫିଆ । କୋଇଡ଼ାର ଜିଡେଇ, କଳମଙ୍ଗ, ମାଲଦା, ଗଳୁଆଁ ଭଳି ଅନେକ ଗାଁ ନିକଟରେ ଥିବା ସରକ୍ଷିତ ଜଙ୍ଗଲ ଯେମିତି ମାଫିଆମାନଙ୍କ ଚରାଭୂଇଁ ପାଲଟିଯାଇଛି । ଏହାଦ୍ବାରା ସରକାର ହରାଉଛନ୍ତି ଶହ ଶହ କୋଟି ଟଙ୍କାର ରାଜସ୍ବ । 

୨୦୧୨ ମସିହାରେ ଶାହା କମିଶନ ଆସି କୋଇଡ଼ା ଅଞ୍ଚଳରେ ଖଣି ଅନିୟମିତତା ଚାଲିଥିବା ରିପୋର୍ଟ ଦେଇଥିଲେ । ଅନେକ ଖଣି ଉପରେ ଜରିମାନା ଲଗାଇଥିଲେ ଶାହା କମିଶନ । କିଛି ଖଣି ମାଲିକ ଜରିମାନା ପୈଠ କରିଥିଲେ । ଆଉ କିଛି ଖଣି ବନ୍ଦ ପଡିଗଲା । ତାପରଠୁ ଖଣି ମାଫିଆଙ୍କ ଚରାଭୂଇଁ ପାଲଟିଛି କୋଇଡ଼ା ଅଞ୍ଚଳ ।