ଚାରିପଟେ ଘର ଆଉ ମଝିରେ ସିଏନଜି ଫିଲିଂ ଷ୍ଟେସନ ।  ଘରଠାରୁ ମାତ୍ର ୫ ମିଟର ଦୁରରେ ତିଆରି ଚାଲିଛି ଫିଲିଂ ଷ୍ଟେସନ ।  କେବଳ ଘର ନୁହଁ ପାଖରେ ରହିଛି ଗୋଟିଏ ଘରୋଇ ଡାକ୍ତରଖାନା । ଆଉ ରାସ୍ତା ଆରପଟେ ପେଟ୍ରୋଲ ପମ୍ପ । ଭୁବନେଶ୍ୱର କାନନ ବିହାରରେ ତିଆରି ହେଉଛି ଏହି ସିଏନଜି ଫିଲିଂ ଷ୍ଟେସନ । କିନ୍ତୁ ତିଆରି ହେବା ଦିନଠାରୁ ଏହା ବିରୋଧରେ ଉଠିଲାଣି ସ୍ୱର । ଜନବସତି ଭିତରେ ଫିଲିଂ ଷ୍ଟେସନ କରାଯାଉଥିବାରୁ ଅଘଟଣ ନେଇ ଭୟରେ ଅଛନ୍ତି ସ୍ଥାନୀୟଲୋକ । 

Advertisment

ମାମଲା ଏନଜିଟିରେ ପହଞ୍ଚିଲାଣି । ଅଭିଯୋଗ ହୋଇଛି ଯେ,ବେନିୟମ ଭାବେ ଗେଲ୍ ନିର୍ମାଣ କାମ କରୁଛି । ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସିଟିଇ ବା ଅନୁମତି ନେଇନଥିବା ଏନଜିଟିକୁ ଜଣାଇଛନ୍ତି ଅଭିଯୋଗକାରୀ । ଏହି ମାମଲାକୁ ଗୁରୁତ୍ୱ ସହ ନେଇଛି ଏନଜିଟି ।  ଏହି ପ୍ରସଙ୍ଗରେ ରାଜ୍ୟ ସରକାର, ବିଏମସି,ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପେଟ୍ରୋଲିୟମ ଆଣ୍ଡ ଏକ୍ଲପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନକୁ ନୋଟିସ ଜାରି କରିଛି ଏନଜିଟି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଛି । ଅନ୍ୟପଟେ ଗେଲ୍ ବିରୋଧରେ ଆସୁଥିବା ଅଭିଯୋଗକୁ  ଖଣ୍ଡନ କରିଛି ଗେଲ୍ । ଏନଜିଟି ପକ୍ଷରୁ ଗେଲ୍ କର୍ତ୍ତୃପକ୍ଷ କୌଣସି ଚିଠି ପାଇନଥିବାରୁ କ୍ୟାମେରା ଆଗରେ କିଛି କହିବାକୁ ରାଜି ନାହାନ୍ତି । ତେବେ ନିୟମ ଭିତରେ ରହି ନିର୍ମାଣ କାମ ଚାଲିଥିବା ସଫେଇ ଦେଇଛନ୍ତି ଗେଲ୍ କର୍ତ୍ତୁପକ୍ଷ ।  ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଜାନୁଆରୀ ୨୦୨୦ରେ ଏକ ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି । ଜନବସତିଠାରୁ ଅତି କମରେ ୫୦ ମିଟର ଦୁରତାରେ ପେଟ୍ରୋଲ ପମ୍ପ ନିର୍ମାଣ କରିହେବ । ସିଏନଜି ପାଇଁ ସେଭଳି କୌଣସି କଟକଣା ନଥିବାବାବେଳେ ପେଟ୍ରୋଲ ପମ୍ପ ଭଳି ସିଏନଜି ଫିଲିଂ ଷ୍ଟେସନ ବି ଜନବସତିଠାରୁ ଅତି କମରେ ୫୦ ମିଟର ଦୁରତାରେ କରାଯାଉ ବୋଲି ଆବେଦନକାରୀ ଏନଜିଟିରେ ପ୍ରାର୍ଥନା କରିଛନ୍ତି । ଏହି ନିୟମ କଡାକଡି ହେଲେ ଏଭଳି ଫିଲିଂ ଷ୍ଟେସନ ପାଇଁ ଅଡୁଆରେ ପଡିପାରେ ଗେଲ୍ ।