କନକବ୍ୟୁରୋ : ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ପାଳିତ ହେବ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ । ତାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ମଧ୍ୟ ଯୋଗଦେବେ । ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ସମୀକ୍ଷା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି ସମାରୋହକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଓ ୧୪୦ ଲିଆଜିନିଙ୍ଗ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି ।
ସେହିପରି ବିଦେଶରୁ ଆସୁଥିବା ଅତିଥିମାନଙ୍କୁ ଏକ ସୁନ୍ଦର ଓ ସୌହର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି । ସହରର ରାସ୍ତାଘାଟ, ଅଫିସ୍ ବିଲିଡିଂ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି ।
ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।
ସେହିପରି ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡ଼ିଶୀ ନୃତ୍ୟ,ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧୟ୍ମରେ ବିଭିନ୍ନ ସ୍ଥାନରେ ଓଡ଼ିଶାର କଳାସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ କରାଯିବ । ଏହାର ସିଧାସଳଖ ପ୍ରସାରଣ ମଧ୍ୟ ଦୂରଦର୍ଶନରେ କରାଯିବ । ଭୁବନେଶ୍ୱର ସହିତ ଏହାର ଆଖପାଖ ଅଂଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟ କରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଏମସି ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
--