କନକ ବ୍ୟୁରୋ: ପାର୍ବଣ ପାଇଁ ସଜେଇ ହେଉଛି ଟୁଇନ୍ ସିଟି । ମାଙ୍କ ଆଗମନ ପାଇଁ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଅନ୍ୟପଟେ ମରାମତି ପାଇଁ ହାଇକୋର୍ଟଙ୍କ କଣ୍ଟ ସରିବାକୁ ଯାଉଥିଲେ ବି ଅଧିକାଂଶ ରାସ୍ତାରେ ଯିବାକୁ ଡର ଲାଗୁଛି ।
ରାଜଧାନୀ ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ଅଞ୍ଚଳର ରାସ୍ତା । ଟ୍ରାଫିକ ଭିଡ ଠାରୁ ଆହୁରି ଯନ୍ତ୍ରଣାଦାୟକ । ଗାଁ ଗଣ୍ଡାର ରାସ୍ତା ଠାରୁ ଆହୁରି ତଦ୍ରୁପ । କେଉଁଠି ବଡ଼ ବଡ଼ ଖାଲ ତ ପୁଣି କେଉଁଠି ରାସ୍ତାରୁ ଉଠିଯାଇଛି ପିଚୁ । ଛକ ଛକରେ ଜଗିଛି ଯମ । କାରଣ ଏହି ରାସ୍ତାରେ ଗାଡି ଗଡ଼ିଲେ ଦୁର୍ଘଟଣା ନିଶ୍ଚିତ । ଖାଲରେ ପଡ଼ିଲେ ହସ୍ପିଟାଲକୁ ଯିବା ପକ୍କା । ସକାଳୁ ସନ୍ଧ୍ୟା ଯାଏଁ ପ୍ରତିଦିନ ଦୁର୍ଘଟଣା ହେଉଛି କିନ୍ତୁ ସବୁ ପରେ ବି କାହାର ଯେମିତି ନିଘା ନାହିଁ । ପାର୍ବଣ ପୂର୍ବରୁ ରାସ୍ତା ମରାମତି କରିବାକୁ ହାଇକୋର୍ଟ ଦେଇଥିଲେ ଡେଡଲାଇନ । ଆଉ ୨୪ ଘଣ୍ଟାରେ ପୂରିଥାନ୍ତା କଣ୍ଟ । କିନ୍ତୁ ଏବେ ବି ଅନେକ ରାସ୍ତାରେ ପାଦ ପକାଇବାକୁ ଭୟ ଲାଗୁଛି । ଦୋଷ ଘୋଡାଇବାକୁ ମେୟର ବର୍ଷାକୁ ଦାୟୀ କରୁଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ତାଜୁବ କରିଛି।
ରାଜଧାନୀର ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା । ସବୁଠି ସମାନ ଅବସ୍ଥା । ଦୀର୍ଘ ଅଢେଇ ବର୍ଷ ହେବ ରାସ୍ତା ମରାମତି ନେଇ ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ଏଯାଏଁ ପିଚୁ ମୁଠାଏ ମଧ୍ୟ ପଡିପାରିନି । ରାସ୍ତାର ଅବସ୍ଥା ଦେଖିଲେ ଏବେ ନାକ ଟେକୁଛନ୍ତି ସ୍ଥାନୀୟ ଲୋକ ।
ଟ୍ବିନସିଟିର ରାସ୍ତାର ଦୂରାବସ୍ଥା ଭିତରେ କଟକରେ ରାସ୍ତା ମରାମତି କାମକୁ ନେଇ ସିଏମସି ଉପରେ ବର୍ଷିଛନ୍ତି ହାଇକୋର୍ଟ । ଚେତାବନୀ ଦେଇ କହିଛନ୍ତି, ତଳିପକା କାମ ହୋଇଥିବା ନେଇ ପ୍ରମାଣିତ ହେଲେ ଆଗକୁ ନିଆଯିବ କଡା କାର୍ୟ୍ୟାନୁଷ୍ଠାନ ।