କନକ ବ୍ୟୁରୋ: କଟକ ମହାନଗର ନିଗମ କାର୍ଯ୍ୟାଳୟରେ ଦୀପ ତଳେ ଅନ୍ଧାର ଭଳି ପରିସ୍ଥିତି । କଟକର ସଫେଇ ସଜାଡିବା ଦାୟିତ୍ବ ପୌର ନିଗମ ହାତରେ ରହିଛି । ସ୍ବଚ୍ଛ,ସୁନ୍ଦର ପରିବେଶ ପାଇଁ ପୌର ନିଗମ ବ୍ୟାପକ ପଦକ୍ଷେପ ନେଉଥିବା କଥା ବି ପ୍ରଚାର କରୁଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି କିନ୍ତୁ କଟକ ପୌର ନିଗମର ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ଦେଖିଲେ ବାସ୍ତବ ସ୍ଥିତି କ'ଣ ତାହା ଜଳଜଳ ହୋଇ ଦେଖାଯାଉଛି ।
କଟକ ମହାନଗର ନିଗମ ଅଫିସ ପରିସରରେ ଚାରିଆଡେ ଗଦା ହୋଇଛି କୁଢକୁଢ଼ ଅଳିଆ ଆବର୍ଜନା, ରାସ୍ତାରେ ଜମିଛି ପାଣି । ନିଜ ଅଫିସର ପରିସରକୁ ତ ସ୍ୱଛ ରଖିପାରୁନି । କଟକ ସହରକୁ କେମିତି ସ୍ବଚ୍ଛ ରଖି ପାରୁଥିବ ତାହା ସହଜରେ ଅନୁମାନ କରିହେଉଛି । ପ୍ରତ୍ୟେକ ଦିନ ଏହି କାର୍ଯ୍ୟାଳୟକୁ ହଜାର ହଜାର ଲୋକ ଆସୁଛନ୍ତି । ଖୋଦ୍ କଟକ ମେୟର ଏବଂ ମହାନଗର ନିଗମର କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟ ଏଠାରେ ରହିଛି । ଏମାନେ ଯେ ଅବସ୍ଥା ବିଷୟରେ ଜାଣୁ ନଥିବେ ତା ବି ନୁହେଁ । ହେଲେ ଏକଦମ ଖାମଖିଆଲ ମନୋଭାବ ।
ଏମିତିରେ ବି କଟକ ସହରରେ ସଫେଇ କଥା ଆମେ ଭଲ ଭାବେ ଜାଣିଛେ । ମହାନଗର ନିଗମ କାର୍ଯ୍ୟାଳୟ ପରିସରକୁ ଦେଖିଲେ ଜଣା ପଡି ଯାଉଛି ଯେ କଟକ ସହରରେ ସ୍ୱଚ୍ଛତାକୁ କେତେ ଗୁରୁତ୍ବ ଦିଆଯାଉଛି । କେତେ ଯତ୍ନବାନ ସିଏମସି କର୍ତ୍ତୁପକ୍ଷ ? ଏବେ ବଡ ପ୍ରଶ୍ନ କେଉଁଦିନ ନିଜ ଘରକୁ ସଫା କରିବ ସିଏମସି ?