କନକ ବ୍ୟୁରୋ : ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ,କଂଗ୍ରେସ ଅଯଥା ଗୃହ କମିଟି ଦାବି କଲେ । ଏମିତି କ’ଣ ଘଟଣା ଘଟିଛି ଯେ ଗୃହ କମିଟି ହେବ । ସର୍ବ ଦଳୀୟ ବୈଠକରେ ବିଜେଡି ମଧ୍ୟ କହିଛି ଏହାର ଆବଶ୍ୟକତା ନାହିଁ । ତାହେଲେ ସେମାନେ କାହିଁକି ଆଲୋଚନାକୁ ଆସିଲେ ନାହିଁ । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ନେଇ ପବିତ୍ର ଗୃହରେ ଆଲୋଚନା କରିବା ତାର ସମାଧାନ କରିବା କଥା କିନ୍ତୁ ସେମାନେ କେବଳ ବାହାନା କରୁଛନ୍ତି । ମିଛରେ କହୁଛନ୍ତି ଆମକୁ ବାଚସ୍ପତିଙ୍କ ସୁରକ୍ଷା କର୍ମୀମାନେ ବାଡେ଼ଇଲେ ମାନେ । ସେମାନେ କେଉଁ ସ୍ତରର କର୍ମଚାରୀ ଯେ ବିଧାୟକଙ୍କୁ ବାଡ଼େଇବେ ?
ସେ ଆହୁରି ମଧ୍ୟ କହିଛନ୍ତି,୬ଟା ୪୦ରେ ଗୃହ ମୁଲତବି ହେଲା କିନ୍ତୁ ସେମାନେ ବସିଥିଲେ । ଏକଥା କେମିତି ହେଲା ? ତାଙ୍କ ଦଳର ସଭାପତି ଏବଂ ପୂର୍ବ ସଦସ୍ୟମାନେ ଆସିକି ବିଧାନସଭା ଗେଟ ଆଗରେ ଧମକାଇଲେ,ଏ କେଉଁ ପ୍ରକାର ରାଜନୀତି ? ସେମାନେ ଯେଉଁ ଭିଡିଓ କରିଛନ୍ତି, ସେଠି ତ କେହି ଆହତ ହୋଇନାହାଁନ୍ତି ? ସେମାନେ ବୁଲୁଥିଲେ ଏଠି ପଖାଳ ଚିକେନ ମଟନ ଖାଇଛନ୍ତି । ମିଛ କହିବାର ଗୋଟେ ସୀମା ଅଛି,ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ତାଙ୍କର ଉଦ୍ଦେଶ୍ୟ । ଯେଉଁମାନେ ଆନ୍ଦୋଳନ କରନ୍ତି ଗୃହରୁ ଯାଇ ଗାନ୍ଧୀ ମୂର୍ତ୍ତି ତଳେ କିମ୍ଭା ରାଜଭବନ ଯାଆନ୍ତି କିନ୍ତୁ ପ୍ରଶ୍ନକାଳ ବାତିଲ କରି ଗାନ୍ଧୀ ମୂର୍ତ୍ତି ତଳକୁ ପୁଣି ଆସି ଗୃହକୁ ବାତିଲ କରିବା,ଇଏ କି ପରମ୍ପରା ? ଓଡିଶା ରାଜନୀତିରେ ଏହା ନୂଆ ଘଟଣା । ଏତେ ସମୟ ଧରିକି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା । ଘଣ୍ଟା, ଗିନି, ତୂରୀ ଧରି କଳାପୋଷାକ ପିନ୍ଧି ପ୍ରତିବାଦ କରିବା ଏବଂ ଜଣେ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ତାଙ୍କ ମାଇକ ଭାଙ୍ଗିବା କାଗଜ ଛଡ଼ାଇବା ଆଗରୁ ଦେଖିବାକୁ ମିଳିନଥିଲା, ଏମାନଙ୍କୁ ଓଡିଶା ବାସୀ କ୍ଷମା ଦେବେ ତ । ଏହିଭଳି କହି କଂଗ୍ରେସ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।