କନକ ବ୍ୟୁରୋ : ଚାଷୀଙ୍କ ଆକାଉଣ୍ଟ ଆସିଲା ଟଙ୍କା ।  ନୂଆଁଖାଇ ପୂର୍ବରୁ ସିଏମ୍ କିଷାନ୍ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଭେଟି ଦେଲେ ସରକାର । ଏହି ଅବସସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ଦେବା ସମୟରେ ପୂର୍ବ ସରକାରଙ୍କୁ ମାରିଛନ୍ତି ତେରେଚ୍ଛା ବାଣ । 

Advertisment

ବିଜେପି ସରକାର ଆସିବା ପରେ ବଢିଛି ଚାଷୀଙ୍କ ଆୟ । ବିଜେଡି ସରକାରରେ ଦେଶରେ ତଳ ଆଡୁ ଦୁଇ ନମ୍ବରରେ ଥିଲା ଓଡିଶା । ଆମ ସରକାରରେ ଚାଷୀଙ୍କୁ ବାର୍ଷିକ ୫୮ହଜାର ଟଙ୍କା ସହାୟତା ଦିଆଯାଉଛି । ସିଏମ କିଷାନ ଟଙ୍କା ବାଣ୍ଟି କିଛି ଏଭଳି ଢଙ୍ଗରେ ବିଜେଡି କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି , ୧୪ ମାସ ପୂର୍ବରୁ ବିଜେଡି ସରକାର ବେଳେ ରିପୋର୍ଟ କହୁଛି ଚାଷୀଙ୍କ ଲାଭ ହେଉନଥିଲା ବେଶୀ କ୍ଷତି ହେଉଥିଲା । ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ପଛରେ ରହୁଥିଲା ଓଡିଶା । ଦେଶରେ ଦ୍ଵିତୀୟ ସର୍ବନିମ୍ନ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି , ଆମ ସରକାର ଏହି ପ୍ରସଙ୍ଗଙ୍କୁ ଗୁରୁତର ସହ ବିଚରାକୁ ନେଲେ । ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଗଲା ଇନପୁଟ ସବସିଡି ପାଇଁ । ଉଭୟ ଖରିପ ଏବଂ ରବିରେ ୧୯ଲକ୍ଷ ୭୨ହଜାର ଚାଷୀଙ୍କୁ ଇନପୁଟ ସବସିଡି ଦିଆଯାଇଛି । ରେକର୍ଡ ପରିମାଣର ୯୨ ଲକ୍ଷ ୭୩୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଚାଷୀଙ୍କୁ ୭୫୩୭ କୋଟି ଟଙ୍କା ଇନପୁଟ ସବସିଡି ଦିଆଯାଇଛି । ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ ମିଶାଇ ବିଭିନ୍ନ ଯୋଜନା ସହାୟତରେ ଚାଷୀଙ୍କ ବାର୍ଷିକ ଆୟ ୫୮ ହଜାର ବୃଦ୍ଧି ପାଇଛି ।