କନକ ବ୍ୟୁରୋ :  ରାଜ୍ୟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ  ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା।  କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ  ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର ସଙ୍କଟର ସମୀକ୍ଷା କରିଛନ୍ତି । 

Advertisment

ସେପଟେ ସାର ପାଇଁ ରାତି ଅନିଦ୍ରା । ରାଜ୍ୟରେ ପ୍ରତିଦିନ ସାର ସଙ୍କଟ ଚିତ୍ର ସାମ୍ନାକୁ ଆସୁଛି । ଆଧାର କାର୍ଡ ରଖି ଲମ୍ବା ଲାଇନ ଲଗାଉଛନ୍ତି ଚାଷୀ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ନରେନ୍ଦ୍ର ପଂଚାୟତରୁ ଆସିଛି ଏଭଳି ଦୃଶ୍ୟ । ୨୦୦ ବସ୍ତା ସାର ଆସିଥିବା ବେଳେ ତା’ ଠାରୁ ଅଧିକ ଲୋକ ଏଠାରେ ଅପେକ୍ଷା କରିଛନ୍ତି । କିଏ ବ୍ୟାଗ୍‌ ତ ପୁଣି କିଏ ଆଧାର କାର୍ଡ ରଖି ଲମ୍ବା ଲାଇନ ଲଗାଇଛନ୍ତି ।

ସେହିଭଳି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ମାଣିକ୍ୟପୁର ସୋସାଇଟି ସାମ୍ନାରେ ଚାଷୀଙ୍କ ଅହେତୁକ ଭିଡ଼। ତିନୋଟି ପଞ୍ଚାୟତର ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଚାଷୀ ସକାଳୁ ଛିଡା ହୋଇଥିଲେ । ହେଲେ ଚାଷୀ ସଂଖ୍ୟା ତୁଳନାରେ ସୋସାଇଟିରେ କମ ସଂଖ୍ୟକ ସାର ଥିବାରୁ ସୋସାଇଟିରେ ତାଲା ପକାଇ ପଳେଇଗଲେ ଅଧିକାରୀ। ଶେଷରେ ଚାଷୀ ସୋସାଇଟି ଆଗରେ ଆଧାର କାର୍ଡ ରଖି ଅପେକ୍ଷା କରିଛନ୍ତି । ଆଉ କିଛି ଚାଷୀ ନିରାଶ ହୋଇ ଫେରିଛନ୍ତି । 

ଦେଓଗାଁରେ ମଧ୍ୟ ସମାନ ସମସ୍ୟା ।  ଦେଓଗାଁ ବ୍ଲରେ ୟୁରିଆ ସାରର ଅଭାବ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସାର ପାଇଁ ଚାଷୀ ରାତି ଦିନ କୃଷି ସମବାୟ ସମିତିକୁ ଦୌଡ଼ି ଲାଇନ ଲଗାଉଥିଲେ ମଧ୍ୟ ସାର ନପାଇ ଖାଲି ହାତରେ ଫେରୁଛନ୍ତି । ଏପଟେ ଗୋଦାମ ଘରେ ସାର ଥିଲେ ମଧ୍ୟ ଚାଷୀ ନେତାଙ୍କ ବିରୋଧ ଯୋଗଁ ସାର ବଣ୍ଟନ ହୋଇ ପାରୁନାହିଁ । ବଲାଙ୍ଗିର ଜିଲ୍ଲା ବନ୍ଧାପଡ଼ା କୃଷି ସମବାୟ ସମିତିରେ ଚାଷୀ ସାର ନପାଇ ୪ ଦିନ ହେଲା ନିରାଶ ହୋଇ ଫେରୁଛନ୍ତି ।  ବନ୍ଧାପଡ଼ା ପେକ୍ସରେ ଦେଶଣ୍, ବ୍ରାହ୍ମଣୀ ଜୋର, ସିଂହାମୁଣ୍ଡା, ବନ୍ଧ ପଡ଼ା ପଞ୍ଚାୟତର ୮୭୩ ଜଣ ଚାଷୀ ରୁଣ ନେଇଥିବା ବେଳେ ୬୬୪ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଛନ୍ତି । ତେବେ ଏହି କୃଷି ସମବାୟ ସମିତିକୁ  ୩୨୦  ବସ୍ତା ୟୁରିଆ ସାର ଆସିଛି। ଅଧା ବଣ୍ଟନ ହୋଇଥିବା ବେଳେ ଅଧା ଗୋଦାମରେ ପଡିଛି।